ଭୁବନେଶ୍ୱରରେ ଘର କରିବାକୁ ଚାହୁଁଛନ୍ତି କି? ପ୍ଲାନ୍ ଅନୁମୋଦନ ପାଇଁ ବିତିପାରେ ମାସ ମାସ

461

କନକ ବ୍ୟୁରୋ: ଭୁବନେଶ୍ୱରରେ ଘର କରିବାକୁ ପ୍ଲାନ୍ ଅନୁମୋଦନ ପାଇଁ ଚାହୁଁଥିଲେ, ଆପଣଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିପାରେ । କାରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଅଫଲାଇନ୍ ଆବେଦନ ବନ୍ଦ ହୋଇଯାଇଛି । ପ୍ଲାନ୍ ଅନୁମୋଦନ ପାଇଁ ଯେଉଁ ‘ସୁଯୋଗ’ ସଫ୍ଟୱେୟାର ରହିଛି, ତାହା ଠିକ୍ ଭାବେ କାମ କରୁନାହିଁ । ୬୫ ଦିନ ମଧ୍ୟରେ ଅନୁମୋଦନ ମିଳିବା କଥା, କିନ୍ତୁ ମାସ ମାସ ବିତିଯାଉଛି, ଆଫ୍ରୁଭାଲ୍ ମିଳୁନାହିଁ । ଆକ୍ଟିଟେକ୍ଟମାନେ ଅଭିଯୋଗ କରିଛନ୍ତି ଫାଇଲ ଅପଲୋଡରେ ସମସ୍ୟା ହେଉଛି । ‘ସୁଯୋଗ’ ସଫ୍ଟୱେୟାର ଉପଭୋକ୍ତା ଅନୁକୁଳ ହେବା ପର୍ଯ୍ୟନ୍ତ ଅଫଲାଇନରେ ଆବେଦନ କରିବା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ବିଡିଏର ‘ସୁଯୋଗ’ ପ୍ଲାଟଫର୍ମ । ଘର ପାଇଁ ପ୍ଲାନ୍ ମଞ୍ଜୁରୀ ପାଇବାକୁ ହେଲେ କେବଳ ଏହି ପ୍ଲାଟଫର୍ମ ଜରିଆରେ ଅନଲାଇନ୍ ଆବେଦନ କରିବାକୁ ପଡିବ । କାରଣ ଅଫଲାଇନ୍ ଆବେଦନ ବନ୍ଦ ହୋଇଯାଇଛି । ସୁଯୋଗ ପ୍ଲାଟଫର୍ମ ହେବା ପରେ ବିଡିଏକୁ ୪୦୦ଟି ଆବେଦନ ଆସିଛି, ବିଡ଼ମ୍ବନାର କଥା ହେଉଛି ମାତ୍ର ୮୫ଟି ପ୍ଲାନକୁ ଅନୁମତି ମିଳିଛି । ଆର୍କିଟେକ୍ଟଙ୍କ ଅଭିଯୋଗ…

କାମ କରୁନି ‘ସୁଯୋଗ’, ଲୋକେ ଭୋଗୁଛନ୍ତି ସମସ୍ୟା

  • ସଫ୍ଟୱେୟାର୍ରେ ସମସ୍ୟା ରହିଛି
  • ଫାଇଲ ଅପଲୋଡ୍ ହୋଇପାରୁନି
  • ଡ୍ରଇଁ ଅପଲୋଡ୍ ପାଇଁ ମାସ ମାସ ଗଡ଼ି ଯାଉଛି
  • ସମାଧାନ ପାଇଁ ଯାହାଙ୍କୁ ଦାୟିତ୍ୱ ଦିଆଯାଇଛି, ସେମାନେ ଦକ୍ଷ ନୁହଁନ୍ତି
  • ଡ୍ରଇଁ ପରିବର୍ତ୍ତନ ହେଲେ ଆବେଦନକାରୀଙ୍କୁ ପ୍ରତ୍ୟେକ ଥର ଦେବାକୁ ପଡୁଛି ଟଙ୍କା
  • ଘର ତିଆରି ପାଇଁ ଅସୁବିଧାରେ ପଡୁଛନ୍ତି ଉପଭୋକ୍ତା
  • ଆର୍କିଟେକ୍ଟଙ୍କ ଉପରେ ଦୋଷ ଲଦୁଛନ୍ତି ଲୋକ

ଏପଟେ ବିଡିଏ ପକ୍ଷରୁ କୁହାଯାଇଛି, ସୁଯୋଗ ସଫ୍ଟୱେୟାରରେ କିଛି ସମସ୍ୟା ରହିଛି, ତାର ସମାଧାନ କରାଯାଉଛି । କିନ୍ତୁ କିଛି ଆର୍କିଟେକ୍ଟ ଠିକ ଭାବେ ଡ୍ରଇଁ କରୁନଥିବାରୁ ତାହା ନାକଚ ହୋଇଯାଉଛି । କିଭଳି ନକସା ନିର୍ଭୁଲ ହେବ ଏ ନେଇ ବିଡିଏ ପକ୍ଷରୁ ତାଲିମ୍ ମଧ୍ୟ ଦିଆଯାଇଛି । ତେବେ ଯେପର୍ଯ୍ୟନ୍ତ ‘ସୁଯୋଗ’ ସଫ୍ଟୱେୟାର ଉପଭୋକ୍ତା ଅନୁକୁଳ ହୋଇନାହିଁ, ସେପର୍ଯ୍ୟନ୍ତ ଅଫଲାଇନ୍ରେ ଆବେଦନ ଗ୍ରହଣ କରିବାକୁ ଦାବି ହୋଇଛି ।