ସରିଲା ଲକ୍ଷେ କୋଟିର ଡିଲ୍ । ଫ୍ଲିପକାର୍ଟର ୭୭ପ୍ରତିଶତ ଅଂଶଧନ କିଣିଲା ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ

26

କନକ ବ୍ୟୁରୋ: ଫ୍ଲିଫକାର୍ଟକୁ ଅଧିଗ୍ରହଣ କଲା ଆମେରିକୀୟ କମ୍ପାନୀ ୱାଲମାର୍ଟ । ଘୋଷଣା ଅନୁଯାୟୀ ୱାଲମାର୍ଟ ଫ୍ଲିପକାର୍ଟର ୭୭% ଅଂଶଧନ କିଣିଛି । ଲକ୍ଷେ ୭ ହଜାର ୨୦୦ କୋଟି ଟଙ୍କା ମୂଲ୍ୟରେ ଅଧିଗ୍ରହଣ ହୋଇଥିବା ବେଳେ ଏହାକୁ ସବୁଠୁ ବଡ଼ ଇ-କମର୍ସ ଡିଲ୍ କୁହାଯାଉଛି । ଡିଲ୍ ଯୋଗୁ କମ୍ପାନୀର ଶେୟାର୍ ରଖିଥିବା କର୍ମଚାରୀ ମାଲାମାଲ୍ ହେବା ନିଶ୍ଚିତ ହୋଇଛି । ଅନ୍ୟପଟେ ଡିଲକୁ ବିରୋଧ୍ କରିଛି ଆରଏସଏସ୍ ସମର୍ଥିତ ସ୍ୱଦେଶୀ ଜାଗରଣ ମଂଚ । ଏହାକୁ ବେଆଇନ୍ ଓ ରାଷ୍ଟ୍ରହିତବିରୋଧୀ କହି ଦିଲ୍ଲୀରେ ମଂଚ ବିକ୍ଷୋଭ ପ୍ରଦର୍ଶନ କରିଛି ଓ ଡିଲ୍ ବାତିଲ୍ କରିବା ପାଇଁ କରିଛି ଦାବି ।

କେଉଁ କାରଣରୁ ଚର୍ଚ୍ଚାରେ ଫ୍ଲିପକାର୍ଟ ଡିଲ୍ ..

୧. ୨୦୦୭ ମସିହାରେ ସଚିନ୍ ଓ ବିନ୍ନି ବଂଶଲଙ୍କ ଦ୍ୱାରା ମାତ୍ର ୪ଲକ୍ଷ ଟଙ୍କା ଓ ଦୁଇ ବେଡରୁମ୍ ବିଶିଷ୍ଟ ଏକ ଛୋଟ ଫ୍ଲାଟରୁ ଆରମ୍ଭ ହୋଇଥିଲା ଫ୍ଲିପକାର୍ଟ ।

୨. ଅନଲାଇନ୍ ବହି ବିକ୍ରିରୁ ଫ୍ଲିପକାର୍ଟ ଆରମ୍ଭ ହୋଇଥିବା ବେଳେ ପ୍ରଥମ ବର୍ଷରେ ଏହା କେବଳ ୨୦ଟି ବହି ବିକ୍ରି କରିପାରିଥିଲା ।

୩. ୨୦୧୦ ମସିହାରେ ଦେଶରେ ପ୍ରଥମ ଥର ପାଇଁ କ୍ୟାସ ଅନ୍ ଡେଲିଭରି ବ୍ୟବସ୍ଥା ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲା ଫ୍ଲିପକାର୍ଟ ।

୪. ୨୦୧୭ ମସିହାରେ କମ୍ପାନୀ ଦଶ କୋଟି ପଂଜୀକୃତ ଗ୍ରାହକ ହାସଲ୍ କରେ । ଏବେ ଫ୍ଲିପକାର୍ଟର ଏକ ଲକ୍ଷରୁ ଉଦ୍ଧ୍ୱର୍ ପଂଜୀକୃତ ସେଲର୍ ଓ ୨୧ଟି ଡିପୋ ରହିଛି ।

୫. ସଫଳ ଷ୍ଟାର୍ଟଅପ୍ କମ୍ପାନୀ ଭାବେ ଫ୍ଲିପକାର୍ଟ ସବୁଠୁ ବଡ଼ ଇତିହାସ ଲେଖିପାରିଛି ।

ଗୋଟେ ପଟେ ସରିଛି ଅଧିଗ୍ରହଣ, ଅନ୍ୟପଟେ ଡିଲ୍ ପରେ ବିଦାୟୀ ଚିଠି ଲେଖିଛନ୍ତି ସହ ପ୍ରତିଷ୍ଠାତା ସଚିନ ବଂଶଲ୍ । ଡିଲ୍ ଯୋଗୁ ସଚିନ୍ ପାଖାପାଖି ୬ ହଜାର ୭୦୦ କୋଟି ଟଙ୍କା ପାଇଛନ୍ତି ତେବେ କମ୍ପାନୀରୁ ଅଲଗା ହେବା ତାଙ୍କ ପାଇଁ ଦୁଃଖଦାୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ..ଫ୍ଲିପକାର୍ଟ ରିସ୍କ ନେବାରେ କେବେ ପଛକୁ ହଟିନାହିଁ ଓ ଗ୍ରାହକଙ୍କୁ ଧ୍ୟାନରେ ରଖି ସବୁବେଳେ କାମ କରିଆସିଛି । ବିଗତ ୧୦ ବର୍ଷ ମଧ୍ୟରେ ଫ୍ଲିପକାର୍ଟ ଅନେକ ଆହ୍ୱାନ ଗ୍ରହଣ କରି ଦେଶର ଜଟିଳ ସମସ୍ୟାର ସମାଧାନ କରିଛି । ଫ୍ଲିପକାର୍ଟକୁ ବିଦାୟ ଦେବାର ସମୟ ଆସିଥିବାରୁ ଏହା ଦୁଃଖଦାୟକ । ଫ୍ଲିପକାର୍ଟ ସହ ଅତୀତର ଅନୁଭୂତି କେବେ ବି ଭୁଲିହେବନାହିଁ ।