ଲକ୍ଷେ କୋଟି ଟଙ୍କାରେ ବିକ୍ରି ହେଲା ଦେଶର ୧ ନମ୍ବର ଇ-କମର୍ସ କମ୍ପାନୀ! ଫ୍ଲିପକାର୍ଟକୁ କିଣିଲା ୱାଲମାର୍ଟ ।

Advertisment
ଲକ୍ଷେ କୋଟି ଟଙ୍କାରେ ବିକ୍ରି ହେଲା ଦେଶର ୧ ନମ୍ବର ଇ-କମର୍ସ କମ୍ପାନୀ! ଫ୍ଲିପକାର୍ଟକୁ କିଣିଲା ୱାଲମାର୍ଟ ।

image courtesy - http://infrolic.com

ଦେଶର ଏକ ନମ୍ବର ଇ-କମର୍ସ କଂପାନି ଫ୍ଲିପକାର୍ଟର ୭୭% ଅଂଶଧନକୁ ଆମେରିକୀୟ କଂପାନି ଓ୍ଵାଲମାର୍ଟ କିଣିନେଇଛି। ଏଥିପାଇଁ ଓ୍ଵାଲମାର୍ଟ ୧୬ ବିଲିଅନ୍ ଡଲାର ପ୍ରଦାନ କରିବ ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ଏକ ଲକ୍ଷ ୪ ହଜାର କୋଟି ଟଙ୍କା ହେବ। ଇ-କମର୍ସ ବଜାରରେ ଏହା ହେଉଛି ସବୁଠୁ ବଡ଼ ଡିଲ୍। ଏତେ ଚଢ଼ା ଦରରେ ବିକ୍ରି ହେବାରେ ଫ୍ଲିପକାର୍ଟ ହେଉଛି ପ୍ରଥମ ଓ ଏକମାତ୍ର ଭାରତୀୟ କଂପାନି।

ଓ୍ଵାଲମାର୍ଟ ପାଇଁ ମଧ୍ୟ ଏହା ସବୁଠୁ ବଡ଼ ଅଧିଗ୍ରହଣ। ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଫ୍ଲିପକାର୍ଟର ୭୭% ଅଂଶଧନ ଓ୍ଵାଲମାର୍ଟ ପାଖରେ ରହିବ ଓ ବଳକା ଅଂଶଧନ ଫ୍ଲିପକାର୍ଟର ସହ ପ୍ରତିଷ୍ଠାତା ବିନ୍ନି ବଂଶଲ୍, ଟେନସେଣ୍ଟ୍ ହୋଲଡିଂ, ଟାଇଗର୍ ଗ୍ଲୋବାଲ୍ ଓ ମାଇକ୍ରୋସଫ୍ଟ ପାଖରେ ରହିବ। ଫ୍ଲିପକାର୍ଟର ଅନ୍ୟତମ ସହ ପ୍ରତିଷ୍ଠାତା ସଚିନ୍ ବଂଶଲ ନିଜର ସମସ୍ତ ୫.୫% ଅଂଶଧନକୁ ବିକ୍ରି କରି କଂପାନିରୁ ସମ୍ପୂର୍ଣ୍ଣ ବିଦାୟ ନେବେ। ଜାପାନର ସଫ୍ଟବ୍ୟାଙ୍କ ଏହାର ୨୪% ଓ ନାସପର୍ ନିଜର ୧୩% ଅଂଶଧନକୁ ବିକ୍ରି କରି ଫ୍ଲିପକାର୍ଟରୁ ସମ୍ପୂର୍ଣ୍ଣ ବିଦାୟ ନେଇଛନ୍ତି। ସବୁ ପ୍ରକାର ନିୟାମକ ମଞ୍ଜୁରି ଯଦି ଠିକ୍ ସମୟରେ ମିଳିଯିବ ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଉଛି।

publive-image

ଫ୍ଲିପକାର୍ଟର ଅଂଶଧନ କିଣିବା ପାଇଁ ଫ୍ଲିପକାର୍ଟ ଓ ଓ୍ଵାଲମାର୍ଟ ମଧ୍ୟରେ ୨୦୧୬ରେ କଥାବାର୍ତା ଆରମ୍ଭ ହୋଇଥିଲା। ଓ୍ଵାଲମାର୍ଟ ପ୍ରଥମେ ସ୍ୱଳ୍ପ ପରିମାଣର ଅଂଶଧନ କିଣିବାକୁ ଚାହୁଁଥିଲା। ପରବର୍ତୀ ସମୟରେ ଏହା ଅଧିକ ଅଂଶଧନ କିଣିବାକୁ ନିଷ୍ପତ୍ତି ନେଇଥିଲା। ଫ୍ଲିପକାର୍ଟକୁ ପାଇବା ପାଇଁ ଦୁଇଟି କଂପାନି ଦୌଡ଼ରେ ଥିଲେ। ଗୋଟିଏ ଓ୍ଵାଲମାର୍ଟ ହୋଇଥିବା ବେଳେ ଅନ୍ୟଟି ହେଉଛି ଆମାଜନ୍। ଉଭୟ ହେଉଛନ୍ତି ଆମେରିକାର କଂପାନି। ଆମାଜନ୍ ବିଶ୍ୱର ସବୁଠୁ ବଡ଼ ଇ-କମର୍ସ କଂପାନି ହୋଇଥିବା ବେଳେ ରିଟେଲ୍ କ୍ଷେତ୍ରରେ ଓ୍ଵାଲମାର୍ଟ ହେଉଛି ଦୁନିଆର ସବୁଠୁ ବଡ଼ କଂପାନି। ଗୋଟିଏ ଇଣ୍ଟରନେଟ୍ ଜଗତରେ ସକ୍ରିୟ ଥିବା ବେଳେ ଅନ୍ୟଟି ଷ୍ଟୋର୍ ଜରିଆରେ କାରବାର କରୁଛି।

ଚୀନ୍ ବଜାରକୁ ହରାଇବା ପରେ ଭାରତର ବଜାରକୁ କବଜା କରିବା ପାଇଁ ଆମାଜନ୍ ଯାହା ସମ୍ଭବ ତାହା କରିବାକୁ ଚାହୁଁଛନ୍ତି। ସେହିପରି ଭାରତୀୟ ବଜାରରେ ପ୍ରବେଶ କରିବା ପାଇଁ ଓ୍ଵାଲମାର୍ଟ ମଧ୍ୟ ଦୀର୍ଘଦିନରୁ ପ୍ରୟାସ କରୁଥିଲା। ଦେଶରେ ସିଙ୍ଗଲ୍ ବ୍ରାଣ୍ଡ୍ ରିଟେଲକୁ ନେଇ ବିଦେଶୀ ପୁଞ୍ଜିନିବେଶ ନିୟମ ଅନୁକୂଳ ନଥିବାରୁ ଓ୍ଵାଲମାର୍ଟକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।

publive-image

ଫ୍ଲିପକାର୍ଟକୁ କିଣିବା ପରେ ଓ୍ଵାଲମାର୍ଟ ଅତି ସହଜରେ ଭାରତୀୟ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ। ଏହା ପାଖରେ ଉଭୟ ଷ୍ଟୋର୍ ଓ ଇ-କମର୍ସର ଅଭିଜ୍ଞତା ରହିବ ଯାହା ଆମାଜନ୍ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ।

୨୦୦୭ ମସିହାରେ ଆଇଆଇଟି-ଦିଲ୍ଲୀର ଦୁଇ ପୂର୍ବତନ ଛାତ୍ର ସଚିନ୍ ଓ ବିନ୍ନି ବଂଶଲ ଫ୍ଲିପକାର୍ଟ ପ୍ରତିଷ୍ଠା କରିଥିଲେ। ଏକ ଅନଲାଇନ ବୁକ୍ ଷ୍ଟୋର୍ ଭାବେ ଆରମ୍ଭ ହୋଇଥିବା ଏହି କଂପାନି ଏବେ ୨୦ ବିଲିଅନ୍ ଡଲାର କଂପାନିରେ ପରିଣତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe