କନକ ବ୍ୟୁରୋ : ରାତି ପାହିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରନ୍ତି । ଆଉ ଟିକେ ଅବସର ମିଳିଲେ ତୂଳୀରେ ଆଙ୍କି ବସନ୍ତି ଭଳକିଭଳି ଚିତ୍ର ମାନ । ପେନସିଲ ଆର୍ଟରୁ ନେଇ ଅଏଲ ପେଟିଂ, ମଡ଼ର୍ଣ୍ଣ ଆର୍ଟ ସହିତ ବିଭିନ୍ନ ପ୍ରକାରର ମୂର୍ତ୍ତିମାନ ଗଢୁଛନ୍ତି । ଗାଁ ପରିବେଶର ସମସ୍ତ ଚିତ୍ରକୁ ନିଜ ତୂଳୀରେ ସାଉଁଟି ଚିତ୍ର ଆଙ୍କିବାରେ ମଗ୍ନ ହୋଇଯାନ୍ତି ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ରାଉତ । ସୁନାବେଡା ଏଇଏଫରେ ରୁହନ୍ତି ଅଧ୍ୟାପିକା ବିଦ୍ୟୁତପ୍ରଭା । ଶିକ୍ଷାଦାନ ବାଦ୍ ତୁଳୀ ଆଉ ରଙ୍ଗରେ ଜୀବନ୍ତ ଚିତ୍ର ସବୁ ଆଙ୍କି ବସନ୍ତି । ଯେଉଁ ଚିତ୍ରରେ ଗାଁ ପରିବେଶରୁ ନେଇ ଜୀବନ କାହାଣୀ ଚିତ୍ରଣ ହୋଇଛି । ଖାଲି ସେତିକି ନୁହେଁ ଆଦିବାସୀ ଜୀବନର ପ୍ରତିଟି ଚିତ୍ରକୁ ନିଖୁଣ ଭାବେ ଉପସ୍ଥାପିତ କରିଛନ୍ତି ଅଧ୍ୟାପିକା ଜଣକ ।
ସେମିଲିଗୁଡା ମହାବିଦ୍ୟାଳୟର ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ବିଦ୍ୟୁତପ୍ରଭା । ଅଧ୍ୟାପନା ସହ ନିଶା ତାଙ୍କର ହେଉଛି ଏହି ଚିତ୍ର ଆଙ୍କିବା । ଏପରିକି ତାଙ୍କୁ ରାଜ୍ୟ ସରକାରଙ୍କ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କଲେଜ କାନ୍ଥରେ ଚିତ୍ର ଆଙ୍କିବା ପାଇଁ ସୁଯୋଗ ମିଳିଥିଲା । ଯାହାକୁ ନେଇ ସେ ବେଶ ଉତ୍ସାହିତ । ଏପରିକି ନିଜେ ଚିିତ୍ର ଆଙ୍କିବା ସହ ପିଲାମାନଙ୍କୁ ମଧ୍ୟ ଚିତ୍ରକଳା ଶିଖାଉଛନ୍ତି ।
ଅଧ୍ୟାପିକାଙ୍କ ଏହି ଚିତ୍ରକଳା ଆଙ୍କିବା ନିଶା ଓ ପିଲାଙ୍କୁ ଚିତ କଳା ଶିକ୍ଷାଦାନ ନେଇ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।