ପୁରୁଣା କୋଠାର ମରାମତିରେ ଅବହେଳା: ଭୁଶୁଡିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ, ବର୍ତ୍ତିଲେ ଶହେରୁ ଅଧିକ ଅନ୍ତେବାସୀ

76

କନକ ବ୍ୟୁରୋ: ଭୁଶୁଡିପଡିଲା ଛାତ୍ରୀ ନିବାସ । ଏଭଳି ଅଘଟଣା ଘଟିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ । ବିଶ୍ୱବିଦ୍ୟାଳୟ ସାବେରୀ ଛାତ୍ରୀ ନିବାସର ଟଏଲେଟ କମ୍ପେ୍ଲସ ସହ ଏକ ବିରାଟ ଅଂଶ ଭୁଶୁଡି ପଡିଛି ।  ଘଟଣା ସମୟରେ  ଛାତ୍ରୀମାନେ ନଥିବାରୁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଛି ।  ସମସ୍ତ ଛାତ୍ରୀଙ୍କୁ ଅନ୍ୟ ଏକ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି ।

ହଷ୍ଟେଲର ଅବସ୍ଥା ନେଇ ଛାତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ ବି କେହି ଶୁଣିନଥିଲେ । ଫଳରେ ଏଭଳି ଏକ ଅଘଟଣ ଘଟିଛି ।   ହଷ୍ଟେଲରେ ୪୦ଟି ରୁମ ଥିବାବେଳେ ୧୦୪ ଅନ୍ତେବାସୀ ରହନ୍ତି । କିନ୍ତୁ ଘଟଣା  ଘଟିବାବେଳେ  ଅଧିକାଂଶ ଛାତ୍ରୀ କ୍ଲାସ ଯାଇଥିଲେ । ଟଏଲେଟ କମ୍ପେକ୍ସର ୧୫ରୁ ଅଧିକ ରୁମର କାନ୍ଥ ଓ ଛାତ ଭୁଶୁଡିଯାଇଛି । ଏହାପରେ ବିଶ୍ୱବିଦ୍ୟାଳୟକ ବରିଷ୍ଠ ଅଧିକାରୀ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶ୍ୱବିଦ୍ୟାଳୟ ଉନ୍ନୟନ ଅଧିକାରୀଙ୍କୁ  ଘଟଣାର ତଦନ୍ତ କରି  ରିପୋର୍ଟ ଦେବାକୁ କୁହାଯାଇଛି ।