କରୋନା ମୁକାବିଲା ନେଇ ଆନ୍ଧ୍ର ଆପଣେଇଲା ଆମେରିକା ରାସ୍ତା: ବାହାର ଫେରନ୍ତାଙ୍କୁ ଅଟକାଇବା ପାଇଁ ପିଚୁ ରାସ୍ତାକୁ ଖୋଳି ରାତାରାତି ସୀମାନ୍ତରେ ଠିଆ କରିଦେଲେ ଅସ୍ଥାୟୀ ପାଚେରୀ

2,264

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତା ଆପଣାଇଲେ ତାମିଲନାଡୁ ଓ ଆନ୍ଧ୍ର ସୀମାନ୍ତ ବାସିନ୍ଦା । କରୋନା କଟକଣା ସମୟରେ ଏବେ ବାହାର ରାଜ୍ୟ ଲୋକଙ୍କୁ ଅଟକାଇବାକୁ ରାତାରାତି ସୀମାରେ ପିଚୁ ରାସ୍ତାରେ ଖୋଳି ଦିଆଗଲା ଖାଲ ଏବଂ ତିଆରି ହେଲା ଅସ୍ଥାୟୀ ପାଚେରୀ । ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ ସୀମାନ୍ତ ଭେଲୋର ଜିଲ୍ଲାରେ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ କରୋନା ଆକ୍ରାନ୍ତ ଅଧିକ ସଂଖ୍ୟାରେ ଚିହ୍ନଟ ହେବା ପରେ ଏହାର ସୀମାନ୍ତ ଭେଲୋର ଜିଲ୍ଲା ସୀମାରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଭେଲୋରରେ ରହିଛି ସୁପର ସ୍ପେଶିଆଲିଟି ହସ୍ପିଟାଲ । ଏଠାକୁ ପଡୋଶୀ ରାଜ୍ୟରୁ ପ୍ରତିଦିନ ଶହ ଶହ ଲୋକ ଆସୁଛନ୍ତି ଚିକିତ୍ସା ସେବା ପାଇଁ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ପରେ ପରେ ଏହାର ପଡୋଶୀ ଭେଲୋର ଜିଲ୍ଲାର ସୀମାନ୍ତ ଲୋକ ଆତଙ୍କିତ ହୋଇ ଅଛନ୍ତି । ସୀମା ଡେଇଁ ଯେପରି କେହି ପଶି ପାରିବେ ନାହିଁ ସେଥିପାଇଁ ପିଚୁ ଉପରେ ୩ ଫୁଟ ଉଚ୍ଚତାର ଅସ୍ଥାୟୀ ପାଚେରୀ ନିର୍ମାଣ କରୁଛନ୍ତି ସୀମାନ୍ତ ଲୋକେ । ୫ ଫୁଟ ଓସାରର ଏକ ଟ୍ରେଂଚ ବି ଖୋଳି ଦିଆଯାଇଛି । ସୀମାନ୍ତର ଏହି ରାସ୍ତା ଆନ୍ଧ୍ର ଓ ତାମିଲନାଡୁକୁ ସଂଯୋଗ କରୁଛି । ଜଣେ ଗର୍ଭବତୀ ମହିଳାଙ୍କୁ ଏହି ରାସ୍ତା ଦେଇ ବାଉଁଶ ଭାରାରେ ଭେଲୋର ଆଣିବା ସମୟରେ ଏହା ସମସ୍ତଙ୍କ ନଜରକୁ ଆସିଛି ।

କାରଣ ରାତି ଅଧିଆ ଭେଲୋର ସୀମାନ୍ତ ଲୋକେ ଏହାକୁ ନିର୍ମାଣ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ସୀମାରେ ଏପରି ରାସ୍ତା ଅବରୋଧ ନେଇ କିଛି ବି ସୂଚନା ପାଇପାରିନଥିଲା ଭେଲୋର ଜିଲ୍ଲା ପ୍ରଶାସନ । ତେବେ ରାସ୍ତାରେ ଅସ୍ଥାୟୀ ପାଚେରୀ ତିଆରି ଫଳରେ ସମସ୍ୟାରେ ପଡିଛନ୍ତି ଭେଲୋରର ଦୁଗ୍ଧ ଚାଷୀ । କାରଣ ଭେଲୋରରୁ ଆନ୍ଧ୍ରପ୍ରଦେଶକୁ ପ୍ରତ୍ୟକ ଦିନ ଯାଉଥିବା ୧୦ ହଜାର ଲିଟର କ୍ଷୀର ପରିବହନ ଏହା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ତେବେ କେବଳ ତାମିଲନାଡୁ ନୁହଁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଓଡିଶା ସୀମାନ୍ତରେ ବି ଏପରି ଟ୍ରେଂଚ ଖୋଳାଯାଇଥିବା ଜଣାପଡିଛି ।