କନକ ବ୍ୟୁରୋ: ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର । ସମ୍ପୂର୍ଣ୍ଣ ରୀତିନୀତିରେ ଏହି ବାହାଘର କରାଯାଇଛି । ଝିଅକୁ ହଳଦି ଲଗେଇ ବାଡୁଆ ପାଣିରେ ଗାଧୋଇ ଦେବା ସହ କୁକୁରକୁ ମଧ୍ୟ ବାଡୁଆ ପାଣିରେ ଗାଧେଇ ଦେଇଛନ୍ତି ଲୋକେ । ଜଣେ କୁକୁରକୁ ଜ୍ୱାଇଁ କରିଥିବା ବେଳେ ଜଣେ କୁକୁରକୁ ବୋହୂ କରିଛନ୍ତି । ବିବାହ ପୂର୍ବର ସବୁ ବାଡୁଅ କର୍ମ ସରିବା ପରେ ଝିଅ ମଥାରେ ସିନ୍ଦୁର ପିନ୍ଧାଇଛି କୁକୁର । ଏହାସହ ଆଉ ଗୋଟିଏ କୁନି ପୁଅ କୁକୁର ମୁଣ୍ଡରେ ସିନ୍ଦୁର ପିନ୍ଧାଇଛି । ସାହାଡା ଗଛ ସହ ବାହାଘର କଥା ଆପଣମାନେ ଶୁଣିଥିବେ । ହେଲେ କେବେ ଶୁଣିନଥିବା କୁକୁର ସହ ବାହାଘର । ଶାରିରୀକ ଅସୁସ୍ଥ ଭୋଗୁଥିବା ଶିଶୁକୁ କୁକୁର ସହ ବାହା କରାଇଦେଲେ ସେ ସୁସ୍ଥ ହୋଇଯାଏ । ଏଭଳି ଅଜବ ଅନ୍ଧ ବିଶ୍ୱାସକୁ ଜାବୁଡି ଧରିଥିବା ଜନଜାତି ସଂପ୍ରଦାୟର ଲୋକମାନେ ଆଜି ମଧ୍ୟ ନିଜ ପିଲାଙ୍କର କୁକୁର ସହ ବାହାଘର କରାଉଛନ୍ତି ।

Advertisment

ପିଲାର ଯଦି ପ୍ରଥମେ ଉପର ଦାନ୍ତ ଉଠେ, ତେବେ ତାର ଅନିଷ୍ଠ ହୁଏ, ସବୁ ବେଳେ ଦେହ ଖରାପ ହୁଏ । ସେହି ପିଲାକୁ ଗଛ କିମ୍ବା କୁକୁର ସହିତ ବିବାହ କରାଇଦେଲେ ତାର ରିଷ୍ଟ ଖଣ୍ଡନ ହୋଇଥାଏ ଓ ତାର ଦେହ ସୁସ୍ଥ ହୋଇଯାଏ । ଏମିତି ଅନ୍ଧ ବିଶ୍ୱସକୁ ଧରି ରଖିଛନ୍ତି ବାଲେଶ୍ୱର ସୋର ବ୍ଲକ ଅନ୍ତର୍ଗତ ବନ୍ଧସାହୀ ଗ୍ରାମବାସୀ । ଏଠାରେ କୁକୁର ସହ କୁନି ପିଲାଙ୍କ ବାହାଘର କରାଯାଇଛି । ଏହି ଗାଁର ଦରି ସିଂଙ୍କ ପୁଅ ସହ ଏକ ମାଇ କୁକୁରର ବାହାଘର କରାଯାଇଥିବା ବେଳେ ସେହି ଗାଁର ବୁଟୁରୁ ସିଂଙ୍କ ଝିଅ ସହ ଏକ ଅଣ୍ଡିରା କୁକୁରକୁ ବାହା ହୋଇଛି । ଆଦିବାସୀ ପରମ୍ପରା ରୀତିନୀତି ଅନୁସାରେ ଏହି ବାହାଘର କରାଯାଇଛି ।