କଳାହାଣ୍ଡିର ଶୋଷ ମେଣ୍ଟାଉଛି ପଡୋଶୀ ଜିଲ୍ଲା ନବରଙ୍ଗପୁର: ପାହାଡ ଚଢି ମାଇଲ ମାଇଲ୍ ବାଟ ଚାଲିଲେ ଝରଣାରୁ ମିଳୁଛି ପାଣି 

67

କନକ ବ୍ୟୁରୋ: କଳାହାଣ୍ଡିରେ ଶୋଷ ମେଂଟାଉଛି ନବରଙ୍ଗପୁର । ପାଣି ଯିବାକୁ ପଡୁଛି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା । ଘର ସିନା କଳାହାଣ୍ଡି ଜିଲ୍ଲାରେ କିନ୍ତୁ ପିଇବା ପାଣି ପାଇଁ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି । ନବରଙ୍ଗପୁର ଜିଲ୍ଲାରେ ଥିବା ଝରଣାରୁ ପାଣି ସଂଗ୍ରହ କରି ବର୍ଷ ବର୍ଷ ଧରି ପିଉଛନ୍ତି କଳାହାଣ୍ଡି ଜିଲ୍ଲା ପାହାଡି ଗାଁର ଆଦିବାସୀ ପରିବାର । ପାଣି ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ  ଅନ୍ତର୍ଗତ ଧନସୁଲି ପଂଚାୟତର ପାହାଡ ଉପରେ ରହିଛି ଡଙ୍ଗରିଗୁଡା ଗାଁ ।

ଗାଁ ଠାରୁ ୩ କିଲୋମିଟର ଦୂରରେ ରହିଛି ନବରଙ୍ଗପୁର ଜିଲ୍ଲାର ଡାକୁଲଗୁଡା ଝରଣା । ସେହି ଝରଣାରୁ ପାଣି ସଂଗ୍ରହ କରିବା ପାଇଁ ବର୍ଷ ତମାମ ଜଙ୍ଗଲ ଭତରେ ଯାଇଥାନ୍ତି ଗ୍ରାମବାସୀ । ଏହି ସମସ୍ୟା କେବଳ ଗୋଟିଏ ଦୁଇଟି ଗାଁ କି ପଂଚାୟତରେ ସୀମିତ ହୋଇ ରହିନାହିଁ । କଳାହାଣ୍ଡିର ଜିଲ୍ଲାର ବହୁ ଗାଁରେ  ପାନୀୟ ଜଳର ଉକ୍ରଟ ସମସ୍ୟା ରହିଛି । ପିଇବା ପାଣି ଗରାଏ ପାଇଁ ଲୋକ ଝରଣା ଉପରେ ନିର୍ଭର କରୁଛନ୍ତି । ବଣଜଙ୍ଗଲ ଓ ପାହାଡି ରାସ୍ତା ଚାଲି ଚାଲି ଯାଇ ଝରଣାରୁ ପାଣି ସଂଗ୍ରହ କରି ପିଲାଛୁଆଙ୍କ ଶୋଷ ମେଂଟାଉଛନ୍ତି ।