ଚାଲିଲେ କମିବ ମୃତ୍ୟୁ ଆଶଙ୍କା । ଆମେରିକା ବୈଜ୍ଞାନିକ ଦେଲେ ବଡ ତଥ୍ୟ ।

280

କନକ ବ୍ୟୁରୋ: ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ଏହା ସମସ୍ତଙ୍କୁ ଜଣା । ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ ବିନା ମୂଲ୍ୟ ଦେଇ କରିପାରିବେ । ବର୍ତ୍ତମାନ ସ୍ଥିତିରେ ଚାଲିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଏକସସାଇଜ୍ ଭାବେ ଗ୍ରହଣ କରୁଛନ୍ତି ବିଶେଷଜ୍ଞ ।ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ଆମେରିକାର ଗବେଷକ ।

ଆଜିକାଲି ଡିଜିଟାଲ ଯୁୁଗରେ ସବୁକିଛି ଘରେ ବସି ବସି କରିହେଉଛି । ଖାଇବା ପିଇବା ଠାରୁ ଆରମ୍ଭ କରି ଟଙ୍କା ରୋଜଗାର କରିବା ସବୁକିଛି ଘରେ ବସି ପର୍ସନାଲ ସିଷ୍ଟମରେ କରି ହେଉଛି । ହେଲେ ଏହା ଆମ ଶରୀର ପାଇଁ ଘାତକ ସାବ୍ୟସ୍ତ ହେଉଛି । କାରଣ ଏହାଦ୍ୱାରା ଆମର ଶାରୀରିକ କାର୍ଯ୍ୟକ୍ଷମତା କମ୍ ହୋଇଯାଉଛି । ଶରୀରକୁ କିଛି ମସକତ୍ କରିବାକୁ ପଡୁନଥିବାରୁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ଲୋକେ । ଫଳରେ ଅଧିକାଂଶ ପରବାରରେ ମଧୁମେହ, ହାର୍ଟ ଆଟାକ୍, ବ୍ଲଡ ପ୍ରେସର, ମେଦବହୁଳତା ପରି ସମସ୍ୟା ସାଧାରଣ ବ୍ୟାଧି ଭାବ ମୁଣ୍ଡ ଟେକୁଛି । ଏହାକୁ ବାଦ୍ ଦେଲେ ଗ୍ୟାସ ଏବଂ ଏଥିଯୋଗୁଁ ହେଉଥିବା ନାନାଦି ସମସ୍ୟା ଲୋକଙ୍କ ପାଇଁ ସମସ୍ୟା ଆଣୁଛି । ହେଲେ ଗୋଟିଏ ମାତ୍ର ବ୍ୟାୟାମରେ ଏସବୁ ରୋଗକୁ ଦୂରେଇ ହେବ ବୋଲି ମତ ପ୍ରକାଶ କରିଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ମାସାଚୁସେଟର ବୈଜ୍ଞାନିକ । ଏହା ଦ୍ୱାରା ଏକ ନିରୋଗ ଶରୀରର ଅଧିକାରୀ ହୋଇ ମୃତ୍ୟୁର ଆଶଙ୍କାକୁ ୫୩ ପ୍ରତିଶତ ଯାଏଁ ହ୍ରାସ କରାଯାଇପାରିବ ବୋଲି କହିଛନ୍ତି ।

ୟୁନିଭର୍ସିଟି ଅଫ୍ ମାସାଚୁସେଟର ବୈଜ୍ଞାନିକଙ୍କ ଗବେଷଣାର ତଥ୍ୟ ଲାନସେଟ୍ ପବ୍ଲକ୍ ହେଲଥ୍ ପତ୍ରିକାରେ ପ୍ରକାଶ ପାଇଛି । ୪ ମହାଦେଶର ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ୧୫ଟି ଅଧ୍ୟୟନକୁ ନେଇ ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ । ଏଥିରୁ ଜଣାପଡିଛି ଯେ, ପ୍ରତ୍ୟେକ ଦିନ ଚାଲୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏବଂ ଅନ୍ୟମାନଙ୍କ ଅପେକ୍ଷା ସେମାନେ ଅଧିକ ଆୟୁର ଅଧିକାରୀ ହୋଇଥାନ୍ତି । ଏହି ଅଧ୍ୟୟନ ପାଇଁ ଚାରୋଟି ଗ୍ରୁପ ଗଠନ କରାଯାଇଥିଲା ।

ପ୍ରଥମରେ ୩୫୦୦, ଦ୍ୱିତୀୟରେ ୫,୮୦୦ ଓ ତୃତୀୟରେ ୭,୮୦୦ ଓ ଚତୁର୍ଥ ଗ୍ରୁପରେ ୧୦,୯୦୦ ପାଦ ଚାଲୁଥିବା ଲୋକଙ୍କୁ ରଖାଯାଇଥିଲା । ଗବେଷକଙ୍କ ଅନୁଯାୟୀ, ସବୁଠାରୁ ଅଧିକ ବାଟ ଚାଲୁଥିବା ଲୋକଙ୍କ ଗ୍ରୁପ୍ ଅନ୍ୟ ଗ୍ରୁପ ଲୋକଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚନ୍ତି । ଏମାନଙ୍କଠାରେ ମୃତ୍ୟୁ ଆଶଙ୍କା ଅନ୍ୟମାନଙ୍କ ଅପେକ୍ଷା ୪୦ ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥିବା ଜଣାପଡିଥିଲା ।

ଯଦି ୬୦ ବର୍ଷରୁ କମ୍ ବୟସ୍କ ଲୋକ ୮ରୁ ୧୦ ହଜାର ପାଦ ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକ ୬ରୁ ୮ ହଜାର ପାଦ ଚାଲିବେ ତେବେ ସେମାନଙ୍କ ପାଇଁ ଅସୁସ୍ଥତା ଏବଂ ମୃତ୍ୟୁର ଆଶଙ୍କା କମିଯିବ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଚାଲିବାର ବେଗ ଉପରେ ଏହାର କୌଣସି ସମ୍ପର୍କ ନଥିବା ଗବେଷକ ସ୍ପଷ୍ଟ କରିଛନ୍ତି ।