ପଛୁଆ ଚାଲନ୍ତୁ , ସୁସ୍ଥ ରୁହନ୍ତୁ । ଜାଣନ୍ତୁ ଏହାର ଏକାଧିକ ଉପକାର

290

କନକ ବ୍ୟୁରୋ: କେବେ ଆପଣ ପଛୁଆ ଚାଲିବାକୁ ଚେଷ୍ଟା କରିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ବି ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି ପ୍ରମାଣିତ କରିଛନ୍ତି । ବୈଜ୍ଞାନିକଙ୍କ କହିବା ମୁତାବକ, ପଛୁଆ ଚାଲିବା ମସ୍ତିଷ୍କ ଓ ହୃତପିଣ୍ଡ ପାଇଁ ବେଶ ଲାଭଦାୟୀ । ସେତିକି ନୁହେଁ ଏହା ଆପଣଙ୍କ ମେଟାବୋଲିଜିମକୁ ପ୍ରୋତ୍ସାହିତ କରିବା ସହିତ ଆଗୁଆ ଚାଲିବା ତୁଳନାରେ ଅଧିକ କ୍ୟାଲୋରୀ ଖର୍ଚ୍ଚ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଶରୀରର ମେଦବହୁଳତା ହ୍ରାସ ପାଇଥାଏ ।

ଜନୈକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଲୋରୀ ଶେମେକଙ୍କ କହିବା ମୁତାବକ, ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ । ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା ଦ୍ୱାରା ଆମ ହୃତପିଣ୍ଡର କାର୍ଯ୍ୟଦକ୍ଷତା ବଢିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଫଳରେ ମସ୍ତିଷ୍କ ସହ ମାଂସପେଶୀ ଓ ଅନ୍ୟ ଅଙ୍ଗକୁ ଅଧିକ ପରିମାଣର ଅମ୍ଳଜାନ ସଞ୍ଚାଳନ ହୋଇଥାଏ ।

ୟୁନିଭର୍ସିଟି ଅଫ୍ ସିନସିନାତି ଗାର୍ଡନର ନ୍ୟୁରୋସାଇନ୍ସ ଇନଷ୍ଟିଚ୍ୟୁଟର ଜଣେ ଗବେଷକ କହିଛନ୍ତି ଯେ, ପଛୁଆ ଚାଲିବା ଅଭ୍ୟାସ କରିବା ଷ୍ଟ୍ରୋକର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପୁନର୍ବାର ଚାଲିବାରେ ସାହାଯ୍ୟ କରିପାରେ । ପଛୁଆ ଚାଲିବା ଦ୍ୱାରା ହାତଗୋଡର ଭାରସାମ୍ୟ ରକ୍ଷା କରିବାର ଦକ୍ଷତା ବଢିଥାଏ । ଏକାଧିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ପଛୁଆ ଚାଲିବା ଦ୍ୱାରା ଆଣ୍ଠୁ ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗୀଙ୍କ ଲକ୍ଷଣରେ ସୁଧାର ଆସିପାରେ ।