କନକ ବ୍ୟୁରୋ : ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ଅଂକୁଶ ଲଗାଇବା ପରେ କିପରି ଶ୍ରୀମନ୍ଦିର ଭିତରେ ନୀତିକାନ୍ତି କରାଯିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ରଥଯାତ୍ରା ପାଇଁ ହୋଇଥିବା ସୋମବାର ଦିନ ସର୍ବୋଚ୍ଚ ନାୟ୍ୟାଳୟ କି ଆଭିମୁଖ୍ୟ ଦେଖାଉଛନ୍ତି, ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ସୁପ୍ରିମକୋର୍ଟ ପୂର୍ବ ରାୟକୁ କାଏମ୍ ରଖନ୍ତି, ତେବେ କିପରି ନୀତିକାନ୍ତି ପାଳନ ହେବ, ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ବରିଷ୍ଠ ସେବାୟତଙ୍କ ମତରେ ରଥଯାତ୍ରାର କିଛି ବିକଳ୍ପ ନାହିଁ । ସେପଟେ ପ୍ରତୀକାତ୍ମକ ରଥଯାତ୍ରା ନେଇ ପରାମର୍ଶ ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ।
୧୫ ଦିନର ଅଣସର ପରେ ସୁସ୍ଥ ହୋଇଛନ୍ତି ତିନି ଠାକୁର । ଆଜି ନେତ୍ର ଉତ୍ସବ । ନବଯୌବନ ଦର୍ଶନ ଲାଗି ଉଠିଥାନ୍ତା ପଡ଼ିଥାନ୍ତା ଶ୍ରୀମନ୍ଦିର । ହେଲେ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଠାରୁ ବଡ଼ ଦାଣ୍ଡ ଖାଁ ଖାଁ । ଏପଟେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ସବୁକିଛି ଫିକା ପଡ଼ିଯାଇଛି । ରଥଯାତ୍ରା ବନ୍ଦ ହେଲେ କିପରି ରୀତିନୀତି ପାଳନ କରାଯିବ ଏ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଚାଲିଥିବା ବେଳେ ରଥକାର୍ଯ୍ୟ କିନ୍ତୁ ଜାରି ରହିଛି ।
ଏହାରି ଭିତରେ ପ୍ରଶ୍ନ ଉଠୁଛି, ରଥଯାତ୍ରା ବନ୍ଦ ହେଲେ କ’ଣ ରହିଛି ବିକଳ୍ପ? କିପରି ସଂପନ୍ନ ହେବ ଠାକୁରଙ୍କ ନୀତିକାନ୍ତି? ରଥଯାତ୍ରା ବନ୍ଦ ହେଲେ କିପରି ଶ୍ରୀମନ୍ଦିର ଭିତରେ ନୀତିକାନ୍ତି କରାଯିବ ଏ ନେଇ କାହା ପାଖରେ କିଛି ଅନୁଭୂତି ନାହିଁ । ବରିଷ୍ଠ ସେବାୟତଙ୍କ ମତରେ ଶ୍ରୀଜିଉଙ୍କ ନୀତିକାନ୍ତିରେ ରଥଯାତ୍ରାର ବିକଳ୍ପ ନାହିଁ ।
ସେପଟେ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ହରିହର କାନୁନଗୋ କହିଛନ୍ତି, ୧୬୯୨ରୁ ୧୬୯୯ ମସିହା ମଧ୍ୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ହୋଇଥିବା ବେଳେ ଶ୍ରୀମନ୍ଦିର ଭିତରେ ରଥଯାତ୍ରାର ନୀତିକାନ୍ତି କରାଯାଇଥିଲା । ଏଥର ର୍ଥଯାତ୍ରା ବନ୍ଦ ହେଲେ ଭୋଗମଣ୍ଡପ କିମ୍ବା ସ୍ନାନମଣ୍ଡପରେ ବିକଳ୍ପ ନୀତି କରାଯାଇପାରିବ ବୋଲି ସେ ମତ ରଖିଛନ୍ତି । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର କ’ଣ ବିକଳ୍ପ ହୋଇପାରେ ଏ ନେଇ ସ୍ୱତ୍ୱଲିପିରେ କିଛି ଉଲ୍ଲେଖ ହୋଇନଥିବାରୁ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି ।