କନକ ବ୍ୟୁରୋ: ବାର ଦିନ ପରେ ଅନ୍ଧାର ଭିତରୁ ବାହାରି ଦୁନିଆ ଦେଖିବେ ୪୧ ଶ୍ରମିକ । ଉଦ୍ଧାର ପାଇଁ ଲାଗିବ ଆଉ କିଛି ଘଂଟା । ଶ୍ରମିକଙ୍କ ଜୀବନ ବଂଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ମୁତୟନ ରହିଛି । ଏହାସହ ଗ୍ୟାସ୍ ମାସ୍କ, ଷ୍ଟ୍ରେଚର ଏବଂ ୧୫ ଜଣିଆ ଡାକ୍ତରୀ ଦଳ ଘଟଣା ସ୍ଥଳରେ ସଜାଗ ରହିଛନ୍ତି ।

Advertisment

ଉତରାଖଣ୍ଡ ଉତରକାଶୀର ସିଲକ୍ୟାରା ସୁଡଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ । ଆବଶ୍ୟକ ପଡିଲେ ଅସୁସ୍ଥ ଶ୍ରମିକଙ୍କୁ ଏୟାରଲିଫ୍ଟ ପାଇଁ ବି ପ୍ରସ୍ତୁତ ରହିଛି ହେଲିକପ୍ଟର । ଏପଟେ ହସ୍ପିଟାଲରେ ବି ସଜଡା ଯାଇଛି ୪୧ଟି ବେଡ୍ । ଏସବୁ ପ୍ରସ୍ତୁତି, ଖୁବଶୀଘ୍ର ଶ୍ରମିକଙ୍କ ଉଦ୍ଧାର ନେଇ ସଂକେତ ଦେଉଛି । ହେଲେ ସୁଡଙ୍ଗର ଭଗ୍ନାବଶେଷ ଦେଇ ଯେଉଁ ଉଦ୍ଧାର ପାଇପଟି ଖଞ୍ଜା ଯାଉଛି, ତା’ ରାସ୍ତାରେ ବାରମ୍ବାର ବାଧା ଆସୁଛି । ଆଶଙ୍କା କରାଯାଉଛି ଆଗକୁ ଆଉ ୩ରୁ ୪ଟି ବାଧା ଆସିପାରେ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ- ଏନଡିଏମଏ ଅଧିକାରୀ କହିଛନ୍ତି ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଉଦ୍ଧାର ହେବେ ଶ୍ରମିକ ।

ବଡକଥା ହେଉଛି ଉଦ୍ଧାର ସମୟ ପାଖେଇ ଆଉସିଥିବାରୁ ଶ୍ରମିକଙ୍କ ଭିତରେ ଉକ୍ରଣ୍ଠା ବଢିବାରେ ଲାଗିଛି । ଏତିକିବେଳେ ସେମାନଙ୍କ ମନୋବଳ ବଢାଇବାକୁ ବାରମ୍ବାର ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ନିଜେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ୱାକିଟକିରେ ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି । ସୁଡଙ୍ଗ ଭିତରେ ଫସିରହିଥିବା ୪୧ ଶ୍ରମିକଙ୍କ ଭିତରେ ଅଛନ୍ତି ୫ ଓଡିଆ । ଉଦ୍ଧାର ସମୟ ପାଖେଇ ଆସୁଥିବାରୁ ପରିବାରରେ ଖୁସି ଖେଳିଯାଇଛି । ଟିଭି, ମୋବାଇଲ କିମ୍ବା ଖବରକାଗଜରୁ ପରିବାର ସଦସ୍ୟ ସେମାନଙ୍କ ଆତ୍ମୀୟଙ୍କ ବାବଦରେ ତାଜା ଖବର ଖୋଜୁଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବାରିପଦାରେ ପହଂଚି ଶ୍ରମିକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ।

ଦୀର୍ଘ ୧୨ ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ନେଇ ପରିବାରରେ ମଧ୍ୟ ଖୁସିର ମାହୋଲ । ଆଉ କିଛି ଘଂଟା ପରେ ବାହାରିବେ ଉତରାଖଣ୍ଡ ଉତରକାଶି ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକ । ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଲବେଡ଼ା ଗାଁର ଭଗବାନ ଭତ୍ରା ମଧ୍ୟ ଉଦ୍ଧାର ହେବେ । ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ ପହଂଚିବା ପରେ ଭଗବାନଙ୍କ ଗାଁରେ ଏବେ ଖୁସିର ମାହୋଲ । ଦୀର୍ଘ ୧୨ ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ନେଇ ଅନ୍ୟ ଓଡିଆ ଶ୍ରମିକଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ ।