ବିଜେଡି-ବିଜେପି ମେଣ୍ଟ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ୧୨ରେ ଆସୁଛନ୍ତି ଅମିତ ଶାହା ଓ ନଡ୍ଡା । ନବୀନଙ୍କ ସହ ମିଶି କରିପାରନ୍ତି ଘୋଷଣା

367

କନକ ବ୍ୟୁରୋ : ଦିନକ ଭିତରେ ବଦଳି ଯାଇଛି ରାଜ୍ୟ ରାଜନୀତି । ପ୍ରାୟ ଏକମାସ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ରାଜନୀତିକୁ ସରଗରମ କରି ରଖିଥିଲା । ଗତକାଲି ନବୀନ ନିବାସରେ ବିଜେଡିର ବୈଠକ ଏବଂ ଦିଲ୍ଲୀରେ ବିଜେପିର ବୈଠକ ପରେ ମେଣ୍ଟକୁ ନେଇ ଯେଉଁ ଛକାପଞ୍ଝା ଚାଲିଥିଲା, ତାହା ନିର୍ଣ୍ଣାୟକ ସ୍ଥିତିରେ ପହଁଚି ଯାଇଛି । ଅର୍ଥାତ ରାଜ୍ୟରେ ଶାସକ ଓ ମୁଖ୍ୟ ବିରୋଧୀ ଦଳ ଏକାଠି ୨୦୨୪ ନିର୍ବାଚନ ଲଢ଼ିବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି । କେବଳ ଅପେକ୍ଷା, କେବେ ହେବ ବିଧିବଦ୍ଧ ଘୋଷଣା? କୁହାଯାଉଛି, ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିପାରନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକାଠି ମେଣ୍ଟ ସଂପର୍କରେ ଘୋଷଣା କରିପାରନ୍ତି

ତେବେ ମେଣ୍ଟ ଯେ ଚୂଡ଼ାନ୍ତ ହୋଇସାରିଛି, ଏକଥା ସ୍ପଷ୍ଟ ଭାବେ କହୁନାହାନ୍ତି ବିଜେଡି ଓ ବିଜେପି ନେତା । ଯାହା ପରୋକ୍ଷରେ ଇସାରା ଦେଉଛନ୍ତି । ରାଷ୍ଟ୍ରୀୟ ହିତ କଥା କହୁଛି ବିଜେପି, ରାଜ୍ୟ ସ୍ୱାର୍ଥ ପାଇଁ ସବୁକିଛି କରାଯିବ କହି ନିରବ ରହୁଛନ୍ତି ବିଜେଡି ନେତା ।

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଚଳଚଞ୍ଚଳ ହୋଇଛି ରାଜ୍ୟ କଂଗ୍ରେସ ଶିବିର । ରାଜ୍ୟ ସ୍ୱାର୍ଥରେ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଣ୍ଟ କରୁଥିବା ନେଇ ପ୍ରେସମିଟ୍ କରି କହିଛନ୍ତି ପିସିସି ସଭାପତି । ମେଣ୍ଟ ହେଲେ ନିର୍ବାଚନରେ କୌଣସି ଫରକ ପଡ଼ିବନି, କଂଗ୍ରେସର ୯ରୁ ୯୦ ମିଶନ ସଫଳ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନେକ ବିଜେପି ଓ ବିଜେଡି ନେତା କଂଗ୍ରେସ ସଂପର୍କରେ ଥିବା କହିଛନ୍ତି ଶରତ ପଟ୍ଟନାୟକ ।

ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ଆଜି ତାଙ୍କ ଦିଲ୍ଲୀ ବାସଭବନରେ ବୈଠକ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । ମେଣ୍ଟର ରୂପରେଖ କ’ଣ ହେବ, ଏହି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଏପଟେ ବିଜେଡି ଶିବିରରେ ମଧ୍ୟ ଚୂଡ଼ାନ୍ତ ରୂପରେଖ ପାଇଁ ଚାଲିଛି ଅଙ୍କକଷା