କରୋନା ଲକଡାଉନରେ କିଭଳି ମଜୁରୀ ହରାଇଛନ୍ତି ଶ୍ରମିକ ଓ ଚାକିରିଆ: ଆସିଲା ସାଂଘାତିକ ରିପୋର୍ଟ; ମାର୍ଚ୍ଚ ୨୫ରୁ ମେ ୩ ଭିତରେ ୩୩ ହଜାର ୮ ଶହ କୋଟି ଟଙ୍କାର ହରାଇଛନ୍ତି ମଜୁରି

ଗ୍ରାମାଂଚଳ ଅପେକ୍ଷା ଅଧିକ ପ୍ରଭାବିତ ହୋଇଛି ସହରାଂଚ

274

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ସାରାଦେଶେରେ ଲକଡାଉନ୍ ଫଳରେ ଶ୍ରମିକ ଓ ଚାକିରିଆ ଗୋଷ୍ଠୀ କିଭଳି ମଜୁରି ହରାଇଛନ୍ତି ତାକୁନେଇ ଚମକାଇ ଦେଲାଭଳି ରିପୋର୍ଟ ପ୍ରକାଶ ପାଇଛି । ଏକ ଅଧ୍ୟୟନ ଅନୁସାରେ ଦେଶରେ ମାର୍ଚ୍ଚ ୨୫ରୁ ମେ’ ୩ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଲାଗୁ ହୋଇଥିବା ଲକଡାଉନ୍ କଟକଣା ଫଳରେ ୩୩ ହଜାର ୮୦୦ କୋଟି ଟଙ୍କାର ମଜୁରି ହରାଇଛନ୍ତି ଲୋକେ । ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଂଟ ରିସର୍ଚ୍ଚ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଦେଶରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଫଳରେ ୧୧ କୋଟି ୬୦ ଲକ୍ଷ ଲୋକ ରୋଜଗାର ଉପରେ ସଂକଟ ଆସିଛି । ଅର୍ଥାତ ଏମାନେ ମଜୁରି ହରାଇଛନ୍ତି । ଯାହା ମଧ୍ୟରେ କେବଳ ୧୦ କୋଟି ୪୦ ଲକ୍ଷ ଲୋକ ଅଣସଂଗଠିତ କ୍ଷେତ୍ରର ।

ସେହିପରି ଏପ୍ରିଲ ୧୪ରୁ ମେ’ ୩ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଫଳରେ ୭ କୋଟି ୯୦ ଲକ୍ଷ ଲୋକଙ୍କ ରୋଜଗାର ଉପରେ ସଂକଟ ପଡିଛି ଓ ଏମାନେ ମଜୁରି ହରାଇଛନ୍ତି । ସେହିପରି ଅନୁମାନ କରାଯାଇଛି କାମଧନ୍ଦା ହରାଇଥିବା ଏହି ଲୋକମାନେ ଯଦି ୬ ମାସ ଯାଏଁ ରୋଜଗାର ହରାଇ ଘରେ ବସନ୍ତି ତେବେ ମୋଟ୍ ୨ ଲକ୍ଷ କୋଟି ଟଙ୍କାର ମଜୁରି ହରାଇବେ । ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ମୋଦି ସରକାର ମହାତ୍ମ ଗାନ୍ଧୀ ନରେଗା ଆଇନରେ ବଜେଟ୍ ଅନୁଦାନର ପ୍ରାୟ ୩ ଗୁଣା ହେବ ବୋଲି କୁହାଯାଇଛି ।

ଅଧ୍ୟୟନରେ କୁହାଯାଇଛି କରୋନା ସଂକ୍ରମଣର ମାମଲା ଅଧିକ ରହିଥିବା ଦେଶର ୫ଟି ରାଜ୍ୟରେ ଶ୍ରମିକ ଓ ଚାକିରିଆ ଗୋଷ୍ଠୀଙ୍କ ରୋଜଗାର ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି । ଯାହା ପ୍ରାୟ ୪୦ ପ୍ରତିଶତ ହେବ ।

ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଲୋକଙ୍କ ରୋଜଗାର ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଥିବାରୁ ସେମାନେ ଅଧିକ ମଜୁରି ହରାଇଥିବା ଏହି ଅଧ୍ୟୟନରେ କୁହାଯାଇଛି । ଇମ୍ପାକ୍ଟ ଅଫ କୋଭିଡ-୧୯ ପାଣ୍ଡେମିକ ଅନ ଲେବର ସପ୍ଲାଏ ଆଣ୍ଡ ଗ୍ରସ ଭାଲ୍ୟୁ ଆଡେଡ୍ ଇନ ଇଣ୍ଡିଆ ନାମରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।