ସାରା ରାଜ୍ୟରେ ଶୀତ ଲହରୀ । ୧୩ ପର୍ଯ୍ୟନ୍ତ ଥଣ୍ଡାରୁ ମିଳିବ ନାହିଁ ନିସ୍ତାର

343

କନକ ବ୍ୟୁରୋ : ପୁଣି ଲେଉଟିଲା ଥଣ୍ଡା। ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁରରେ ରାଜ୍ୟର ସର୍ବନିମ୍ନ ପାରଦ ୬.୮ ଡିଗ୍ରିକୁ ଖସିଥିବା ବେଳେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବି ଥଣ୍ଡା ଅନୁଭୂତ ହୋଇଛି। ଆସନ୍ତା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳ ଥଣ୍ଡା ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବାଲେଶ୍ବର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରି ଖସିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାକି ଅଞ୍ଚଳରେ ବି ପାଖାପାଖି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଥଣ୍ଡା ବଢ଼ିବ। ଏବେ ରାତିର ତାପମାତ୍ରା ଯେତିକି ରହିଛି ଆଉ ପାଖାପାଖି ୨ ଡିଗ୍ରି କମିବା ସହ କଳାହାଣ୍ଡି, କନ୍ଧମାଳ ଓ  କୋରାପୁଟ ଜିଲ୍ଲାରେ ବି ଘନ କୁହୁଡ଼ି ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୧୩ ତାରିଖ ପରେ ରାତିର ତାପମାତ୍ରା ସାମାନ୍ୟ ବଢ଼ିପାରେ। ତେବେ ଥଣ୍ଡାରେ ସେତେଟା ପରିବର୍ତନ ଆସିବ ନାହିଁ।