ଋଷଭ ପନ୍ଥଙ୍କୁ ବରିଷ୍ଠ ଖେଳାଳୀଙ୍କ ପ୍ରଶଂସା । ଭିଭିଏସ୍ ଲକ୍ଷ୍ମଣ କହିଲେ, ପନ୍ଥ ଭାରତର ଭବିଷ୍ୟତ ।

260

କନକ ବ୍ୟୁରୋ : ଯୁବ ତାରକା ଖେଳାଳୀ ଋଷଭ ପନ୍ଥଙ୍କୁ ବରିଷ୍ଠ ଖେଳାଳୀଙ୍କ ପ୍ରଶଂସା । ଭିଭିଏସ୍ ଲକ୍ଷ୍ମଣ ପନ୍ଥଙ୍କୁ ପ୍ରଂଶସା କରି କହିଛନ୍ତି ଯେ, ପନ୍ଥ ହେଉଛନ୍ତି ଭାରତର ଭବିଷ୍ୟତ । ଗତ ଏଲିମିନେଟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ସନ୍ ରାଇଜର୍ସ ହାଇଦ୍ରାବାଦ ପରାଜୟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭିଭିଏସ୍ ଲକ୍ଷ୍ମଣ । ସେ କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସଠାରୁ ସନରାଇଜର୍ସ ହାଇଦ୍ରାବାଦ ହାରିବା ଏବଂ ଆଇପିଏଲ-୨୦୧୯ରୁ ବିଦାୟ ନେବା ଆମ ସଂପୂର୍ଣ୍ଣ ଅଭିଯାନର ସାଙ୍କେତିକ ଫଳାଫଳ ଥିଲା । ଆମେ ଆମ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନଥିଲୁ । ଅସ୍ଥିର ଖେଳ ଖେଳି ସଂଘର୍ଷ କରିବା ସହ, ଶେଷରେ ବିଜୟ ହାତଛଡ଼ା କଲୁ । ଚଳିତ ବର୍ଷର ଅଭିଯାନରୁ କିନ୍ତୁ ଆମେ ଅନେକ କିଛି ଶିଖିଛୁ । ଆସନ୍ତା ଋତୁରେ ଆହୁରି ଭଲ ପ୍ରସ୍ତୁତି ସହ ପ୍ରଶଂସକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବୁ ।

ବିଶାଖାପାଟଣାରେ ଆଗରୁ ଖେଳି ସାରିଥିବାରୁ ଦିଲ୍ଲୀକୁ ଅତିକ୍ରମ କରିବା ଲାଗି ଆମେ ଆମ ଅଭିଜ୍ଞତାକୁ ଅସ୍ତ୍ର କରିଥିଲୁ । ଋଦ୍ଧିମାନ ସାହାଙ୍କୁ ସଅଳ ହରାଇବା ସତ୍ତ୍ବେ ମାର୍ଟିନ ଗପ୍ଟିଲଙ୍କ ପାଇଁ ଆମେ ଚମତ୍କାର ଆରମ୍ଭ ବି ପାଇଥିଲୁ । ହେଲେ ଲଗାତାର ତୃତୀୟ ମ୍ୟାଚ୍ ପାଇଁ ମଝି ଓଭର ଗୁଡ଼ିକରେ ଦିଗ ହରାଇ ବସିଥିଲୁ । ସ୍ପିନର ହିଁ ଆମ ପାଇଁ କାଳ ହୋଇଥିଲେ । ଆମ ପାଖରେ ସ୍ପିନ୍ ବୋଲିଂର ବହୁତ ଭଲ ଖେଳାଳି ଥି‌ଲେ ।  ଏଣୁ କୌଶଳ ଅପେକ୍ଷା ସ୍ପିନକୁ ଖେଳିବାର ଅନାଗ୍ରହ ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।  ଶେଷ ଆଡ଼କୁ ଅବଶ୍ୟ ଆମକୁ ଗତି ମିଳିଥିଲା । ତଥାପି ଆମେ ୧୦-୧୫ ରନ୍ କମ୍ କରିଥିଲୁ ବୋଲି ମୁଁ ଭାବୁଛି । ଆମେ ଜାଣିଥିଲୁ ଦିଲ୍ଲୀ ପାୱାର ପ୍ଲେରେ ଜୋରଦାର ଆକ୍ରମଣ କରିବ ।  ଶିଖର ଧାୱନ କିଛିଟା ସଂଘର୍ଷ କରିଥିଲେ । ପୃଥ୍ବୀ ସ’ କିନ୍ତୁ ଅତି ସହଜରେ ଷ୍ଟ୍ରୋକ୍ ଖେଳିଥିଲେ ।  ତାଙ୍କ ନିର୍ଭିକ ବ୍ୟାଟିଂ ମୋତେ ବେଶ୍ ପ୍ରଭାବିତ କରିଥିଲା ।

ତଥାପି ଆମେ ଠିକଣା ସମୟରେ ଫେରିଥିଲୁ । ‌ଶେଷ ୪ ଓଭରରୁ ଦିଲ୍ଲୀକୁ ୪୨ ରନ୍‌ର ଦରକାର ଥିବାରୁ ଆମେ ଢେର ଆଶାବାଦୀ ମଧ୍ୟ ଥିଲୁ । ହେଲେ ବିପଜ୍ଜନକ ପନ୍ତ କ୍ରିଜରେ ଥିଲେ ଏବଂ ସେ ବାସିଲ ଥମ୍ପିଙ୍କ ଉପରେ ସବୁ ରାଗ ଶୁଝାଇ ଦେଇଥିଲେ । ଋଷବ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟର ଭବିଷ୍ୟତ । ଚାପରେ ଥାଇ ମଧ୍ୟ ସେ ପରିପକ୍ବ ବ୍ୟାଟିଂ କରିଥିଲେ । ମ୍ୟାଚ୍ ଶେଷ କରି ନଥିବାରୁ ସେ ଟିକିଏ ଦୁଃଖିତ ନିଶ୍ଚିତ ଥିବେ । ସବୁ ଦୋଷ ଦୁର୍ବଳତା ସତ୍ତ୍ବେ, ହାଇଦ୍ରାବାଦ ଯେଭଳି ଭାବେ ଶେଷ ପର୍ଯ୍ୟନ୍ତ ଲଢ଼ିଲା, ତାକୁ ନେଇ ମୁଁ ବେଶ୍ ଗର୍ବିତ । ଶେଷ ତିନି ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେବା ଏବଂ ଗୋଟିକୁ ସୁପର ଓଭରରେ ପହଞ୍ଚାଇବା ଆମ ଲଢ଼ୁଆ ପ୍ରବୃତ୍ତିର ବଳିଷ୍ଠ ଉଦାହରଣ । ଆମକୁ କେତେକ ଦୁର୍ବଳତା ଉପରେ କାମ କରିବାକୁ ପଡ଼ିବ । ମୁଁ ସ୍ଥିର ନିଶ୍ଚିତ ଯେ ଆଇପିଏଲର ତ୍ରୟୋଦଶ ଋତୁରେ ଆମେ ଆହୁରି ଶକ୍ତିଶାଳୀ ହୋଇ ଫେରିବୁ ।