ଏଣିକି ଆଉ ହୋଇପାରିବନି ଇଭିଏମ ମେସିନ ଟ୍ୟାମ୍ପରିଂ ! ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍ ମେସିନ୍

31

କନକ ବ୍ୟୁରୋ : ଏଣିକି ଆଉ ହୋଇପାରିବନି ଇଭିଏମ ମେସିନ ଟ୍ୟାମ୍ପରିଂ । ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍ ମେସିନ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପୁର ନିର୍ବାଚନରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର ହେବ । ଏକଥା ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଡି. ଏନ୍. ଗୁପ୍ତା । ବିଜେପୁରର ସମସ୍ତ ୨୭୦ଟି ମେସିନରେ ଭିଭିପାଟ୍ ମେସିନ୍ ବ୍ୟବହାର ହେବ ।

ଭିଭିପାଟ୍ ହେଉଛି- ଭୋଟର ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍ । ଅର୍ଥାତ୍ ଜଣେ ଭୋଟର ଭୋଟ୍ ଦେବା ପରେ ସେ କେଉଁ ଦଳକୁ ଭୋଟ ଦେଲେ ତାହା ନିଜେ ଜାଣିପାରିବେ ଓ ତାର ଏକ ଚିରକୁଟ୍ ସ୍ୱତନ୍ତ୍ର ବାକ୍ସରେ ସଂଗୃହୀତ ହେବ । ଯଦି ନିର୍ବାଚନ ପରେ ଭୋଟ ସଂଖ୍ୟା ନେଇ ପ୍ରାର୍ଥୀ ଅଭିଯୋଗ କରନ୍ତି ତାହାକୁ ଗଣାଯାଇପାରିବ । ଆଗକୁ ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରିବାକୁ ଭାରତର ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟରେ, ବିଜେପୁର ଉପନିର୍ବାଚନ ନେଇ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ବିଜେପୁରରେ କେବେ ଉପନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଡ. ଗୁପ୍ତା କହିଛନ୍ତି ।