ଓଡିଆ ଛାତ୍ରଙ୍କ ନୂଆ ଆପ୍: ‘ହୋମଭେରୀ’ ଜରିଆରେ ଲୋକଙ୍କୁ ମିଳୁଛି ଅନେକ ସୁବିଧା

34

କନକ ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ବଜାରରୁ ସଉଦା କିଣିବାକୁ ସମୟ ପାଉନାହିଁ । ଏଥିପାଇଁ ତାର ଉପାୟ ଖୋଜିଛନ୍ତି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ୩ ଜଣ ଛାତ୍ର । ସେମାନେ ଏକ ଷ୍ଟାଟ ଅଫ୍ ଆପ୍ ଜରିଆରେ ଲୋକଙ୍କୁ ଯୋଗେଇ ଦେଉଛନ୍ତି ବିଭିନ୍ନ ସାମଗ୍ରୀ, ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର ।

ସମ୍ବଲପୁର ସହର ଓ ବୁର୍ଲା ସହରବାସୀ ମୋବାଇଲ ଆପ୍ ଜରିଆରେ ନିଜର ସଉଦା କିଣି ପାରୁଥିବାର ସୁଯୋଗ ପାଉଛନ୍ତି । ବୁର୍ଲା ଭିଏସଏସୟୁଟିର ଶେଷ ବର୍ଷ ୩ ଜଣ ଛାତ୍ର ହୋମଭେରୀ ନାମକ ଏକ ମୋବାଇଲ ଷ୍ଟାଟ୍ ଅଫ୍ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ ଜରିଆରେ ଘରେ ଥାଇ ଲୋକମାନେ ବିଭିନ୍ନ ସୁବିଧା ପାଉଛନ୍ତି । ଆପ୍କୁ ଖୋଲି ସ୍ଥାନ ଲେଖିବା ପରେ ଚାହୁଁଥିବା ଜିନିଷ ବରାଦ କରିପାରିବେ । ଏହି ଆପ୍ରେ ତେଜରାତି ସାମାନ ସହିତ ଫ୍ରିଜ, କୁଲର ରିପ୍ୟାରିଂଙ୍ଗ, ପ୍ଲମ୍ବର, ଲଣ୍ଡ୍ରି ଓ ଅନେକ ସୁବିଧା ଉପଲବ୍ଧ କରାଯାଇଛି । ଏହି ସୁବିଧା ସମ୍ବଲପୁରରେ ଉପଲବ୍ଧ ହୋଇଥିବାରୁ ମୁଖ୍ୟତଃ ମହିଳାମାନେ ଆଶ୍ୱସ୍ତି ପ୍ରକଟ କରିଛନ୍ତି ।

ହୋମଭେରୀ ସେବା ସମ୍ବଲପୁର ଓ ବୁର୍ଲା ସହରରେ ଉପଲବ୍ଧ ହେଉଛି । ଅନଲାଇନରେ ବରାଦ କରିବାର ଏକ ଘଂଟା ମଧ୍ୟରେ ଘରେ ପହଂଚି ଯାଉଛି ସାମଗ୍ରୀ । ୫୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କିଣିଲେ ମାତ୍ର ୩୦ ଟଙ୍କାର ଡେଲିଭରି ଚାର୍ଜ ପଡୁଥିବା ବେଳେ ୫୦୦ ଟଙ୍କାରୁ ଅଧିକ ଟଙ୍କାର ଜିନିଷ କିଣିଲେ ଡେଲିଭରି ଚାର୍ଜ ପଡୁନାହିଁ । ୩ ଜଣକୁ ନେଇ ଆରମ୍ଭ ହେଇଥିବା ଏହି ଷ୍ଟାଟ୍ ଅଫ୍ ଆପରେ ବର୍ତମାନ ୧୫ ଜଣ କାମ କରୁଛନ୍ତି । ୬ ମାସରେ ଏହି ଆପ୍ ଜରିଆରେ ୧ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୩ଶହ ଗ୍ରାହକ ଉପକୃତ ହେଉଛନ୍ତି ।