ଭିସୁଟର ୨୫ ଛାତ୍ର କରୋନା ନେଗେଟିଭ, ଆଣ୍ଟିଜେନ କିଟରେ ତ୍ରୁଟି ଥିବା କଥା କହିଲେ ଅତିରିକ୍ତ ଶାସନ ସଚିବ, ଆଣ୍ଟିଜେନ କିଟ୍ ତ୍ରୁଟି ନେଇ ତନାଘନା ଆରମ୍ଭ ।

171
କନକ ବ୍ୟୁରୋ: ପ୍ରଥମେ କୁହାଗଲା ବୁର୍ଲା ଭିସୁଟର ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ । କଡା କଟକଣା ଲାଗୁ କରାଗଲା ଆଉ ଏବେ କୁହାଯାଉଛି ସମସ୍ତେ ନେଗେଟିଭ । ଏହି ବିଚିତ୍ର କରୋନା ପରୀକ୍ଷାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଂଟିଜେନ କିଟରେ ସମସ୍ୟା ଥିବାରୁ ଭୁଲ ରିପୋର୍ଟ ଆସିଥିବା ଦିଆଯାଉଛି ସଫେଇ । ଆଂଟିଜେନ କିଟ ଯୋଗାଇ ଥିବା ସଂସ୍ଥାକୁ ଓଡିଶା ଷ୍ଟେଟ୍ ମେଡିକାଲ କର୍ପୋରେସ୍ନ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି । କେଉଁଥି ପାଇଁ ଭିମ୍ସାରକୁ ଏହି କିଟ୍ ପଠାଯାଇଥିଲା ଯଥାଶୀଘ୍ର ଉତର ରଖିବା ପାଇଁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ  ପ୍ରଦୀପ୍ତ ମହାପାତ୍ର ।
ଯେତେବେଳେ ୨୬ ତାରିଖରେ ଆଂଟିଜେନ ଟେଷ୍ଟ ବେଳେ ଜଣାପଡିଥିଲା ଭିସୁଟର ୨୫ଜଣ ଛାତ୍ର କରୋନା ପଜିଟିଭ ଅଛନ୍ତି ବୋଲି ସେତେବେଳେ କରୋନାକୁ ନେଇ ତିଆରି ହୋଇଥିଲା ନୂଆ ଆଶଙ୍କା । ୨୫ଜଣ ଛାତ୍ର କରୋନା ପଜିଟିଭ ଜଣାପଡିବାର ଦିନକ ପରେ କଟକଣା ଜାରିଥିଲା ଜିଲ୍ଲା ପ୍ରଶାସନ । ଭିସୁଟର ୧୧ଟି ହଷ୍ଟେଲରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନ ଘୋଷଣା କରାଗଲା । ୨୪ଘଂଟିଆ କଂଟ୍ରୋଲ ରୁମ ଖୋଲାଯିବା ସହିତ କରୋନା ପଜିଟିଭ ବାହାରିଥିବା ୨୫ଜଣ ଛାତ୍ରଙ୍କୁ ଭିମସାରର ପୁଲାହ ହଷ୍ଟେଲରେ ରଖି ଚିକିତ୍ସା କରାଗଲା । ବୁର୍ଲାରେ ସଂକ୍ରମଣ ଏବଂ ଭିସୁଟରେ ୨୫ଜଣ ଛାତ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ହଷ୍ଟେଲର ଛାତ୍ରମାନଙ୍କୁ ସନ୍ଧ୍ୟା ୭ଟା୩୦ ସୁଦ୍ଧା ହଷ୍ଟେଲକୁ ଫେରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ।
ଏବେ ଜଣାପଡିଛି ବୁର୍ଲା ଭିସୁଟର କୌଣସି ଛାତ୍ର ପଜିଟିଭ ନାହାନ୍ତି । ତେବେ ଆଂଟିଜେନ କିଟ ଖରାପ ରହିଥିବାରୁ ଏକାଧିକ ପଜିଟିଭ ବାହାରିଥିବା କହିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେପଟେ ଆଂଟିଜେନ କିଟ ତ୍ରୁଟି ନେଇ ତନାଘନା ଆରମ୍ଭ ହୋଇଛି । କିଟ ଯୋଗାଇ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ । ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ବୁର୍ଲାରେ ସ୍ଥିତି ଭଲ ରହିଛି । ସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଇଛି । କଣ୍ଟେନମେଣ୍ଟ ଜୋନ୍ ହଟାଇବା ନିଷ୍ପତି ଜିଲ୍ଲା ପ୍ରଶାସନ ନେବ ।