ଏପଟେ ଚାଲିଥିଲା ଭୋଟ୍, ସେପଟେ ଉଡୁଥିଲା ନୋଟ୍: ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି ଓ ବିଜେପି

49

କନକ ବ୍ୟୁରୋ: ଭୋଟ ପାଇଁ ପୁଣି ଉଡ଼ିଲା ନୋଟ୍ । ନିର୍ବାଚନ ସମୟରେ ପଦ୍ମପୁରରୁ ପୁଣି ଟଙ୍କା ବାଂଟିବାର ଅଭିଯୋଗ ଆସିଛି । ପଦ୍ମପୁର ବ୍ଲକର ବଗାଇଜୁରୀ ଗାଁରେ ଟଙ୍କା ବଂଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହଁ ହୋଇଛନ୍ତି । ଗତକାଲି ଭଳି ଆଜି ମଧ୍ୟ ଟଙ୍କା ବଂଟା ଅଭିଯୋଗକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ଶାସକ ଦଳ । ବିଜେଡିର ଅଭିଯୋଗ ଉପରେ ପାଲଟା ଅଭିଯୋଗ କରିଛି ବିଜେପି । ଭୋଟ ପାଇଁ ନୋଟ ଅଭିଯୋଗକୁ ନେଇ ଟଣାଓଟରା ଭିତରେ ଇଭିଏମରେ ସିଲ ହୋଇଯାଇଛି ପଦ୍ମପୁର ପ୍ରାର୍ଥୀଙ୍କ ଭାଗ୍ୟ ।

ମତଦାନ କେନ୍ଦ୍ର ଆଗରେ ଉତେଜନାର ଏହି ଚିତ୍ର ପଛରେ ରହିଛି ଟଙ୍କା ବଂଟା ଅଭିଯୋଗ । ଟଙ୍କା ବଂଟା ଅଭିଯୋଗ ଆଣି ଦୁଇ ଜଣଙ୍କୁ ସ୍ଥାନୀୟ ବାସିନ୍ଦା ଘେରିଯିବା ପରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ସ୍ଥିିତି । ଆଉ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍ ପହଂଚି ୨ ଜଣ ଯୁବକଙ୍କୁ ଅଟକ ରଖି ପଚାରଉଚୁରା କରିଛି ।

ଗୋଟିଏପଟେ କଡ଼ା ସୁରକ୍ଷା ଭିତରେ ମତଦାନ ଚାଲିଥିଲା । ଆଉ ଗୋଟିଏ ପଟେ ଟଙ୍କା ବଂଟା ଅଭିଯୋଗକୁ ନେଇ ମୁହାଁମୁହିଁ ସ୍ଥିତି ଥିଲା । ବଡ଼ କଥା ହେଉଛି ଅନ୍ଧାରୀ ବିଜେର ଅଭିଯୋଗ ଭିତରେ ସ୍ପଷ୍ଟ ଦିବାଲୋକରେ ଟଙ୍କା ବଂଟା ପାଇଁ ପଦ୍ମପୁର ବ୍ଲକର ୧୮୯ ବୁଥରେ ଉତେଜନା ସ୍ଥିତି ସୃଷ୍ଟି ହୋଇଥିଲା ।

ଅଭିଯୋଗ ଅନୁସାରେ କୁରେନା ପଂଚାୟତ ବଗାଇଜୁରୀ ଗାଁର ମତଦାନ କେନ୍ଦ୍ର ନିକଟରେ ପହଂଚିଥିଲେ ଦୁଇ ଜଣ ଯୁବକ । ଯୁବକଙ୍କ ଗତିବିଧିକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସନ୍ଦେହ ହେବାରୁ ତାଙ୍କୁ ଘେରି ଯାଇଥିଲେ । ଆଉ ଏସବୁ ଭିତରେ ଟଙ୍କା ବଂଟା ନେଇ ଅଭିଯୋଗ କରିଥିିଲେ । ଉଜେନତା ସମ୍ପର୍କରେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚିବା ସହ ଦୁଇ ଜଣ ଯୁବକଙ୍କୁ ପଚରାଉଚରା କରିଥିଲା । ପରବର୍ତୀ ସମୟରେ ପୁଲିସ୍ ଅଣ୍ଡର ଟେକିଂ ଲେଖାଇ ଛାଡି ଦେଇଥିଲା ।

ଏପଟେ ପୁଣି ଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ଶାସକ ବିଜେଡି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କର୍ମଚାରୀ ଟଙ୍କା ବାଂଟୁଥିବା ଅଭିଯୋଗ କରିଥିବା ବେଳେ ଭିଡିଓ ପ୍ରମାଣ ମଧ୍ୟ ଦାଖଲ କରିଛି । ସେହିପରି ବିଜେପି କୃଷକ ମୋର୍ଚ୍ଚାର ନେତାଙ୍କ ନାଁ ନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି । ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି ।

ଆଜି ଭଳି ଗତକାଲି ମଧ୍ୟ ପଦ୍ମପୁର ବ୍ଲକ୍ ଚିଠାଖୋଲ ଏବଂ ପାଇକମାଳ ବ୍ଲକ୍ ସରେଇକେଲା ଗାଁରେ ଟଙ୍କା ବଂଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସ୍ଥାନୀୟ ମହିଳାମାନେ କ୍ୟାମେରା ସାମ୍ନାକୁ ଆସି ଟଙ୍କା ବଂଟାଯାଉଥିବା ନେଇ ଅଭିଯୋଗ କରିଥିଲେ । ଭୋଟ ପାଇଁ ନୋଟର ଅଭିଯୋଗ ଭିତରେ ଇଭିଏମରେ ସିଲ ହୋଇଯାଇଛି ପଦ୍ମପୁର ପ୍ରାର୍ଥୀଙ୍କ ଭାଗ୍ୟ ।