୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୪୭୫ ଆସନରେ ପଡିଲା ଭୋଟ । ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ଭୋଟ ।

60

କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ଚାଲିଥିବା ନିର୍ବାଚନରେ ମଙ୍ଗଳବାର ସବୁଠୁ ବଡ ପର୍ଯ୍ୟାୟ ଭୋଟ ପଡିଛି । ମୋଟ୍ ୪୭୫ ଆସନ ପାଇଁ ପଡିଛି ଭୋଟ୍ । ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡୁଥିବା ବେଳେ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ତଥା ଚୂଡାନ୍ତ ପର୍ଯ୍ୟାୟରେ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ, ଯାହା ଏପ୍ରିଲ ୨୯ରେ ଶେଷ ହେବ । ତେବେ ଆସାମରେ ମଙ୍ଗଳବାର ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଛି । ସମସ୍ତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ମେ’ ୨ ତାରିଖରେ ମତଗଣନା ହେବା ସହ ଫଳାଫଳ ପ୍ରକାଶ ପାଇବ ।

ମଙ୍ଗଳବାର ଭୋଟ ପଡିଥିବା ପଶ୍ଚିମବଙ୍ଗର ୩୧ଟି ଆସନରେ ତୃଣମୂଳ କଂଗ୍ରେସର ଦବଦବା ରହିଛି ।

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ମତଦାନ
-ପଶ୍ଚିମବଙ୍ଗର ୩୧ଟି ଆସନ ଲାଗି ତୃତୀୟ ପର୍ଯ୍ୟାୟରେ ମତଦାନ
-ଦକ୍ଷିଣ ୨୪ ପ୍ରଗଣାର ୧୬, ହାୱଡାର ୭ ଓ ହୁଗଳିର ୮ଟି ଆସନରେ ଭୋଟିଂ
-୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୭୮ଲକ୍ଷ ୫୦ହଜାର ଭୋଟର
-ଏହି ପର୍ଯ୍ୟାୟରେ ୧୦ ହଜାର ୮୭୧ ବୁଥରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ
-ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳର ୬୧୮ କମ୍ପାନୀ ମୁତୟନ
-୨୦୧୬ରେ ଟିଏମସି ୩୦ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲେ

ଆସାମରେ ବିଜେପିର ହିମନ୍ତ ବିଶ୍ୱ ଶର୍ମା ଓ ବିଜେପି ମୁଖ୍ୟ ରଂଜୀତ କୁମାର ଦାସ ପରି ନେତାଙ୍କ ସହ କଂଗ୍ରେସର ୮ବିଧାୟକ ଓ ବିଜେପିର ୩ବିଧାୟକଙ୍କ ଭାଗ୍ୟ ନିର୍ଦ୍ଦାରଣ ହେବ ।
ଆସାମରେ ଅନ୍ତିମ ପର୍ଯ୍ୟାୟ ମତଦାନ
-୧୨ଟି ଜିଲ୍ଲାର ୪୦ ଆସନରେ ଏହି ପର୍ଯ୍ୟାୟରେ ମତଦାନ
-ଶେଷ ପର୍ଯ୍ୟାୟରେ ବିଭିନ୍ନ ଦଳର ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
-ଏଜିପି ଓ ୟୁପିପିଏଲ ସହ ମେଂଟ କରି ମୈଦାନକୁ ଓହ୍ଲାଇଛି ବିଜେପି
-ବାମ ଦଳ ସମେତ ଏକାଧିକ ଦଳ ସହ ମେଂଟ କରିଛି କଂଗ୍ରେସ
-୫ ବର୍ଷର ଉପଲବ୍ଧି ଆଧାରରେ କ୍ଷମତା ବଜାୟ ରଖିବା ଆଶାରେ ବିଜେପି
-୩୨୦ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଉପସ୍ଥିତିରେ ମତଦାନ

ସେହିପରି ତାମିଲନାଡୁରେ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ, ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ, ଏଏମଏମକେ ପ୍ରତିଷ୍ଠାତା ଟିଟିଭି ଦିନାକରନ ଓ ଅଭିନେତାରୁ ନେତା ବନିଥିବା କମଲ ହାସନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।

ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ମତଦାନ
-ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ
-ପିଏମକେ ୨୩, ବିଜେପି ୨୦ ଓ ବାକି ଆସନରେ ଏଆଇଏଡିଏମକେ ପ୍ରାର୍ଥ ଦେଇଛି
-କଂଗ୍ରେସକୁ ୨୫, ସିପିଆଇ, ସିପିଏମ୍ ଓ ଭିକେସି ପାର୍ଟିକୁ ଗୋଟିଏ ଲେଖାଏଁ ସିଟ ଦେଇଛି ଡିଏମକେ
-ତାମିଲନାଡୁରେ ୧୯୬୭ରୁ ପାଳି କରି ସରକାର ଗଢିଆସୁଥିଲେ ଡିଏମକେ ଓ ଏଆଇଏଡିଏମକେ
-ହେଲେ ସେହି ଧାରାକୁ ଭାଙ୍ଗି ଗତ ଦୁଇଟି ଟର୍ମ ହେଲା କ୍ଷମତାରେ ରହିଆସିଛି ଏଆଇଏଡିଏମକେ
-୨୦୧୬ରେ ଏଆଇଏଡିଏମକେକୁ ୧୩୬ ଓ ଏଡିଏମକେକୁ ମିଳିଥିଲା ୮୯ଟି ଆସନ
-ଚଳିତଥର ମୋଟ୍ ୩ ହଜାର ୯୯୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ତାମିଲନାଡୁର ମତଦାତା

ସେହିପରି କେରଳରେ ମଧ୍ୟ ମୁଖ୍ୟମନ୍ତ୍ରୀ ପିନ୍ନରୟୀ ବିଜୟନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେପଟେ ବିଜେପି କୁମନ୍ନମ ରାଜାଶେଖରନ ଓ ମେଟ୍ରୋମ୍ୟାନ ଇ ଶ୍ରୀଧରନ, ସୁରେଶ ଗୋପୀ, କେଜେ ଆଲ ଫୋନ୍ସଙ୍କ ପରି ନେତାଙ୍କ ପାଇଁ ମଧ୍ୟ ଆଜିର ମତଦାନ ନିର୍ଣ୍ଣାୟକ ।

କେରଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ
-କେରଳର ସମସ୍ତ ୧୪୦ ଆସନ ଲାଗି ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍
-ଏଠାରେ ମଧ୍ୟ ୧୯୮୦ରୁ ପାଳି କରି କ୍ଷମତାରେ ରହିଆସୁଛନ୍ତି ଏଲଡିଏଫ ଓ ୟୁଡିଏଫ
-ଏଥର ବାମଦଳ କ୍ଷମତା ବଜାୟ ରଖିଲେ କେରଳରେ ଇତିହାସ ବଦଳିବ
-ସେହିପରି ସାରାଦେଶରେ କେବଳ ଏହି ଗୋଟିଏ ରାଜ୍ୟରେ କ୍ଷମତାରେ ରହିବ ବାମ ଦଳ
-ମୋଟ୍ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୨.୭୪ କୋଟି ଭୋଟର
ଏଆଇଏନଆରିସି ୧୬ଟି ପ୍ରାର୍ଥୀ, ବିଜେପି ୯ ଓ ଏଆଇଏଡିଏମକେ ୪ଟି ଆସନରେ ପ୍ରାର୍ଥୀ ଦେଇଛି ।
ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ
-ମୋଟ୍ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ ଲକ୍ଷ ୪ ହଜାର ୫୦୭ ଭୋଟର
-୩୦ ଆସନ ବିଶିଷ୍ଟ ପୁଡୁଚେରୀରେ କଂଗ୍ରେସ ନେତୃତ୍ୱାଧୀନ ମେଂଟ ଓ ଏନଡିଏ ମଧ୍ୟରେ ଲଢେଇ
-କଂଗ୍ରେସ ନେତୃତ୍ୱାଧୀନ ସରକାର ସଂଖ୍ୟା ଗରିଷ୍ଠତାରେ ଫେଲ ମାରିବା ପରେ ରାଷ୍ଟ୍ରପତି ଶାସନ ରହିଛି