କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୟୁପିର ୧୬ ଜିଲ୍ଲାର ୫୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ପ୍ରାୟ ୨ କୋଟି ୧୬ ଲକ୍ଷ ଭୋଟର ଭୋଟ ଦେଇ ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ ୭ଟାରୁ ବିଭିନ୍ନ ବୁଥରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏହି ତୃତୀୟ ପର୍ଯ୍ୟାୟରେ କରହଲରେ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଆସନରୁ ସପା ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଉ ଅଖିଳେଶଙ୍କୁ କରହଲ ଆସନରେ ଟକ୍କର ଦେଉଛନ୍ତି ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଏସପି ସିଂ ବଘେଲ । ସେହିପରି ଶିବପାଲ ସିଂ ଯାଦବଙ୍କ ଯଶୋବନ୍ତପୁରରେ ମଧ୍ୟ ମତଦାନ ହେଉଛି । ପୂର୍ବ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ପତ୍ନୀ ଲୁଇସ ଖୁର୍ସିଦ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଫରରୁଖାବାଦରେ ମଧ୍ୟ ମତଦାନ ଆରମ୍ଭ ହୋଇସାରିଛି । ବରିଷ୍ଠ କଂଗ୍ରେସ ନେତା ଅଜୟ କପୁର ଲଢୁଥିବା କିଦବଇନଗର ଆସନରେ ମଧ୍ୟ ଭୋଟଗ୍ରହଣ ଚାଲିଛି । ଏହାଛଡା ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ରାମବୀର ଉପାଧ୍ୟାୟଙ୍କ ଭାଗ୍ୟ ମଧ୍ୟ ଆଜି ନିର୍ଦ୍ଧାରଣ କରିବେ ଜନତା । ସେ ସଦାବାଦ ବିଧାନସଭା ଆସନରୁ ଲଢେଇ କରୁଛନ୍ତି ।
ତୃତୀୟ ପର୍ଯ୍ୟାୟ ମତଦାନରେ ୟୁପିର ତିନି ପ୍ରମୁଖ ଅଂଚଳ ପଶ୍ଚିମ ୟୁପି, ବୁନ୍ଦେଲଖଣ୍ଡ ଓ ଅବଧ ଅଂଚଳରେ ଭୋଟିଂ ହେଉଛି । ପଶ୍ଚିମ ୟୁପିର ୫ ଜିଲ୍ଲା ଫିରୋଜାବାଦ, ମୈନପୁରୀ, ଏଟା, କାସଗଂଜ ଓ ହାଥରସର ୧୯ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଛି । ବୁନ୍ଦେଲଖଣ୍ଡର ୫ଟି ଜିଲ୍ଲା ଝାଂସି, ଜାଲୌନ, ଲଲିତପୁର, ହମିରପୁର ଓ ମହୌବା ଜିଲ୍ଲାର ୧୩ ବିଧାନସଭା ଆସନ ପାଇଁ ଭୋଟିଂ ହେଉଛି । ସେହିପରି ଅବଧ ଅଂଚଳର କାନପୁର, କାନପୁର ଦେହାତ, ଅରୈୟା, ଫରରୁଖାବାଦ, କନୌଜ ଏବଂ ଇଟାୱାର ୨୭ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଧାଡି ଲମ୍ବିବା ଆରମ୍ଭ ହୋଇଛି । ଦିନ ବଢିବା ସହ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ଲୋକଙ୍କ ଗହଳି ଜମିବ । ତୃତୀୟ ପର୍ଯ୍ୟାୟ ଭୋଟିଂରେ ବିଶେଷ କରି ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ପଞ୍ଜାବରେ ଆଜି ସମସ୍ତ ୧୧୭ ଆସନରେ ଭୋଟ ଗ୍ରହଣ ହେବ । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ହେବ । ୨ କୋଟି ୧୪ଲକ୍ଷ ଭୋଟର ୧ହଜାର ୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ରହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱତ ସିଂ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।