ମାଓ ପ୍ରବଣ ବସ୍ତରରେ ପଡିଲା ଭୋଟ୍ । ଆତଙ୍କକୁ ଖାତିର ନକରି ଭୋଟ୍ ଦେଲେ ଭୋଟର । ଭୋଟରଙ୍କ ଭିତରେ ଅନେକ ଓଡିଆ ସାମିଲ ।

50

କନକ ବ୍ୟୁରୋ: ବ୍ୟାପକ ସୁରକ୍ଷା ଭିତରେ ମାଓପ୍ରବଣ ଅଞ୍ଚଳ ବସ୍ତରରେ ପଡିଲା ଭୋଟ୍ । ଗତ ମଙ୍ଗଳବାର କାଙ୍କେର ମାଓ କ୍ୟାମ୍ପ ଉପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ଏହାପରେ ମାଓ ସମସ୍ୟା ଛତିଶଗଡରେ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ଏହାରି ଭିତରେ ଭୋଟର ମାଓ ଆତଙ୍କକୁ ଖାତିର ନକରି ଭୋଟ୍ ଦେଇଛନ୍ତି । ଏହି ଭୋଟରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ । ଯେଉଁମାନଙ୍କ ଗୋଟିଏ ଗୋଟିଏ ଭୋଟର ମୂଲ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।

ଛତିଶଗଡର ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ହୋଇଛି । ଆଉ ଭୋଟର ମାଓବାଦୀଙ୍କୁ ଖାତିର ନକରି ଭୋଟ୍ ଦେଇଛନ୍ତି । ରାସ୍ତା ଘାଟ ସେଭଳି ଚକାଚକ ନଥିଲେ ମଧ୍ୟ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଟ୍ରାକ୍ଟରରେ ବସି ଭୋଟ୍ ଦେବାକୁ ଯାଇଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ କେବଳ ଅତି ମାଓ ପ୍ରବଣ ବସ୍ତର ଲୋକସଭା ଆସନରେ ଭୋଟ ଗ୍ରହଣ ହୋଇଛି । ଯେଉଁଠି ଦିନେ ଲାଲ ଆତଙ୍କ ଯୋଗୁ ଲୋକେ ମତ ସାବ୍ୟସ୍ତ କରିବାକୁ ଘରୁ ବାହାରୁ ନ ଥିଲେ । ଏବେ କିନ୍ତୁ ସଚେତନ ନାଗରିକ ଘରୁ ବାହାରି ଭୋଟ୍ ଦେଇଛନ୍ତି । ଏହି ନିର୍ବାଚନରେ ସ୍ଥାନୀୟ ମୁଦ୍ଦା ମାଓବାଦ ସମସ୍ୟା । ଗତ ମଙ୍ଗଳବାର କାଙ୍କେର ଜିଲ୍ଲା ଛୋଟେବେଟିଆ ଜଙ୍ଗଲରେ ୨୯ ମାଓବାଦୀ ପ୍ରାଣ ହରାଇ ଥିଲେ । ନିର୍ବାଚନର ଠିକ୍ ପୂର୍ବରୁ ଲାଲଗଡରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା । ଯାହା ବସ୍ତରରେ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ବିଜେପି ବସ୍ତର ଲୋକସଭା ଆସନରେ ସଫଳ ମାଓ ଦମନର କଥା କହି ନିର୍ବାଚନ ଲହର ସୃଷ୍ଟି କରି ଥିବା ବେଳେ ଏହାକୁ ଫେକ୍ ଏନକାଉଂଟର କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ ।

  • ଯବାନଙ୍କ ଉପସ୍ଥିତିରେ ପଡି଼ଲା ଭୋଟ୍
  • ନିର୍ଣାୟକ ହେବ ଓଡି଼ଆ ଭୋଟରଙ୍କ ଭୂମିକା

ମାଓ ଇଲାକା ହୋଇଥିବାରୁ ମତଦାନ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତ ଡିସେମ୍ବରରେ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଫେରିଛି । ଏହାପରେ ମାଓବାଦୀଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରଖି ଗତ ଜାନୁଆରିରୁ ଏ ଯାଏଁ ୮୦ ରୁ ଉଦ୍ଧ୍ୱର୍ ମାଓବାଦୀଙ୍କୁ ନିପାତ କରିଛନ୍ତି ଯବାନ । ଆଉ ରାଜ୍ୟରୁ ମାଓବାଦୀଙ୍କ ମୂଳପୋଛ କଥା କହି ଭୋଟ ହାତେଇବାକୁ ଉଦ୍ୟମ କରାଯାଉଥିବା ବେଳେ, ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ଭିତରେ ଭୋଟର ମାନେ ବେଶ ଉତ୍ସାହର ସହ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଓଡ଼ିଶା ସୀମାବର୍ତ୍ତୀ ସୁକୁମା, ବସ୍ତର ଆଦି ଜିଲ୍ଲାରେ ହଜାର ହଜାର ଓଡି଼ଆ ଭୋଟର ରହିଥିବା ବେଳେ ସେମାନଙ୍କ ମତଦାନ ଛତିଶଗଡ ରାଜନୀତିରେ ବହୁ ଗୁରୁତ୍ୱପୁର୍ଣ ଭୂମିକା ଗ୍ରହଣ କରେ ।

ପୂର୍ବରୁ ବସ୍ତର ଅଞ୍ଚଳରେ ନିର୍ବାଚନ ସମୟରେ ଗୁଳି ଗୋଳା, ବୋମା ବିସ୍ଫୋରଣରେ ପୂରା ଇଲାକା ଥରି ଉଠୁଥିଲା । ତେବେ ଏଥର କିନ୍ତୁ କମ ସଂଖ୍ୟକ ଯବାନଙ୍କ ମୁତୟନ ସତ୍ତେ୍ୱ କାଁ ଭାଁ ହିଂସାକାଣ୍ଡକୁ ବାଦ ଦେଲେ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଲାଲଗଡରେ ନିର୍ବାଚନ ।