ଆଜି ଭୋଟ୍ ଦେଉଛି ଆମେରିକା : ବିଶ୍ୱର ପୁରଣା ଗଣତନ୍ତ୍ର ଆମେରିକାରେ ଚାଲିଛି ବଡ଼ ଲଢ଼େଇ

287

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ପୁରୁଣା ଗଣତନ୍ତ୍ରରେ ବର୍ଷ ୨୦୨୦ର ସବୁଠାରୁ ବଡ ଲଢେଇ ଜାରି ରହିଛି । ସୁପର ପାୱାର ଆମେରିକାର ସର୍ବୋଚ୍ଚ ନେତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମହାମାରୀ କରୋନାର ସଂକଟ କାଳରେ ଏହି ମହାମୁକାବିଲାର ଗୋଟିଏ ପଟରେ ଅଛନ୍ତି ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟପଟେ ଡେମୋକ୍ରାଟ ଜୋ ବାଇଡେନ୍ । ଦୁହେଁ ନିଜ ନିଜ ବିଜୟ ନେଇ ଦାବି କରୁଛନ୍ତି । କିନ୍ତୁ କାହା ଦାବିରେ କେତେ ଦମ ଅଛି ତାହା ନିର୍ବାଚନ ପରେ ହିଁ ଜଣାପଡିବ । କିନ୍ତୁ ଏ ପର୍ଯ୍ୟନ୍ତ ଆସିଥିବା ପୋଲ ସର୍ଭେରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ରହିଛନ୍ତି ।

ନିର୍ବାଚନ ପୂର୍ବରୁ ହୋଇଥିବା ଜନମତ ସର୍ଭେରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ଙ୍କୁ ୫୨ ପ୍ରତିଶତ ସମର୍ଥନ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ୪୨ ପ୍ରତିଶତ ସମର୍ଥନ ମିଳିଛି । ଅର୍ଥାତ ଟ୍ରମ୍ପଙ୍କଠାରୁ ୧୦ ପଏଂଟ ଆଗରେ ରହିଛନ୍ତି ବାଇଡେନ୍ ।  ହେଲେ ଚଳିତ ନିର୍ବାଚନ ୨୦୧୬ ଭଳି ଗତି କରୁଥିବାରୁ ବାଇଡେନ ଆଗୁଆ ଥାଇ ମଧ୍ୟ ବିଜୟୀ ହେବା ନେଇ ସନ୍ଦେହ ରହିଛି । ହେଲେ ୨୦୧୬ରେ ମଧ୍ୟ ଟ୍ରମ୍ପଙ୍କଠାରୁ ୧୦ ପଏଂଟ ଆଗରେ ରହିଥିଲେ ଡେମୋକ୍ରାଟ ପ୍ରାର୍ଥୀ ହିଲାରୀ କ୍ଲିଂଟନ । ନିର୍ବାଚନ ତାରିଖ ପାଖ ହେଲାବେଳକୁ ଏହି ବ୍ୟବଧାନ କମିବାକୁ ଲାଗିଲା । ଆଉ ଶେଷରେ ଇଲେକ୍ଟୋରାଲ କଲେଜ ଡୋନାଲ୍ଡ ଟ୍ରମ୍ପଙ୍କୁ ହିଁ ରାଷ୍ଟ୍ରପତି ନିର୍ବାଚିତ କଲା ।

ଆମେରିକାରେ ନିର୍ବାଚନ ଏଭଳି ସମୟରେ ହେଉଛି ଯେତେବେଳେ ଆମେରିକା ସମେତ ପୁରା ବିଶ୍ୱ କରୋନା ମହାମାରୀ ସହିତ ଲଢୁଛି । କରୋନା ସଂକ୍ରମଣରେ ଆମେରିକା ସାରାବିଶ୍ୱରେ ଆଗରେ ରହିଛି । ଆମେରିକାରେ ଏପର୍ଯ୍ୟନ୍ତ ୯୪ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଆସିଛି । ୨ ଲକ୍ଷ ୬୩ ହଜାରରୁ ଅଧିକ କରୋନା ମୃତ୍ୟୁ ଆମେରିକାରେ ହୋଇଛି । ଆଉ ସେଥିପାଇଁ ଆମେରିକା ନିର୍ବାଚନରେ କରୋନା ମୁକାବିଲା ଏକ ପ୍ରମୁଖ ପ୍ରସଙ୍ଗ ପାଲଟି ଯାଇଛି । ଡେମୋକ୍ରାଟ ପ୍ରାର୍ଥୀ କରୋନା ପ୍ରସଙ୍ଗରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘନଘନ ଆକ୍ରମଣ କରିଛନ୍ତି । କରୋନା ମୁକାବିଲାରେ ଟ୍ରମ୍ପଙ୍କ ନୀତି ବିଫଳ ହୋଇଥିବା କହୁଛନ୍ତି । ସେପଟେ କରୋନାକୁ ଚୀନ ଭାଇରସ କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଭଲି ସ୍ଥିତିରେ ଦେଖିବାର କଥା ଆମେରିକା ଭୋଟ୍ରେ କରୋନାର କଣ ପ୍ରଭାବ ରହିବ? ଏଥିରୁ କାହାକୁ ଫାଇଦା ମିଳିବ କିମ୍ବା କାହାର କ୍ଷତି ହେବ?