ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ନେତା ବାଛିବେ ଜନତା । ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ଭୋଟ୍, ହେଭିୱେଟ ନେତା, ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

100

କନକ ବ୍ୟୁରୋ : ଗତ ୧୧ ଓ ୧୮ ତାରିଖରେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଓ ଏହା ଅନ୍ତର୍ଗତ ୬୩ଟି ବିଧାନସଭା ଆସନରେ ଭୋଟ୍ ହୋଇସାରିଛି । କାଲି ତୃତୀୟ ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୪୬୪ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ୯୨ ଲକ୍ଷ ୫୬ ହଜାର ୯୨୨ ମତଦାତା । ଏହି ପର୍ଯ୍ୟାୟରେ ଓଡିଶା ସମେତ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୬ଟି ଲୋକସଭା ଆସନରେ ପଡିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ବାତିଲ ହୋଇଥିବା ପୂର୍ବ ତ୍ରିପୁରା ଲୋକସଭା ଆସନ ପାଇଁ ମଧ୍ୟ ଏହି ଦଫାରେ ହେବ ଭୋଟିଂ । ମୈଦାନରେ ଅଛନ୍ତି ବହୁ ହେଭିୱେଟ୍ ନେତା, ମନ୍ତ୍ରୀ ।

ତୃତୀୟ ପର୍ଯ୍ୟାୟରେ ଭୋଟ୍କୁ ଯାଉଛି ରାଜ୍ୟର ୬ଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା କ୍ଷେତ୍ର । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ସମେତ ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏହା ଅଧୀନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ପଡୁଥିବାରୁ ନିର୍ବାଚନର ଗୁରୁତ୍ୱ ଆହୁରି ବଢିଯାଇଛି । ତୃତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ମୋଟ୍ ୬୧ ଜଣ ପ୍ରାର୍ଥୀ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ଭୁବନେଶ୍ୱରରେ ଦେଖିବାକୁ ମିଳିବ ଆଇଏଏସ ଓ ଆଇପିଏସ ଲଢେଇ । ବିଜେପିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୁପ ପଟ୍ଟନାୟକ । ଏମାନଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ସମର୍ଥିତ ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ।

କଟକ ଲୋକସଭା କ୍ଷେତ୍ରରେ ବିଜେଡି ପୁଣିଥରେ ସାଂସଦ ଭର୍ତୃହରି ମହତାବଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ ସିଆରପିଏଫ ଡିଜି ପ୍ରକାଶ ମିଶ୍ର । ସେହିପରି କଂଗ୍ରେସ ଟିକେଟରେ କଟକରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ।

ପୁରୀରେ ଜାତୀୟସ୍ତରର ଆଇନଜୀବୀ ପିନାକି ମିଶ୍ର ପୁଣିଥରେ ବିଜେଡିର ପ୍ରାର୍ଥୀ । ଆଉ ତାଙ୍କୁ କଡା ପ୍ରତିଦ୍ୱନ୍ଦିତା ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର । ଏଠାରେ ଜଣାଶୁଣା ଟିଭି ଚେହେରା ସତ୍ୟପ୍ରକାଶ ନାୟକ ମଧ୍ୟ କଂଗ୍ରେସ ଟିକେଟରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସରକାରୀ ଚାକିରି ଛାଡି ସମ୍ବଲପୁର ଲୋକସଭା କ୍ଷେତ୍ରରୁ ଭାଗ୍ୟ ପରଖୁଛନ୍ତି ପୂର୍ତ ସଚିବ ନଳିନୀ ପ୍ରଧାନ । ବିଜେଡି ତାଙ୍କୁ ଏଠାରୁ ଟିକେଟ ଦେଇଥିବାବେଳେ ବିଜେପିରୁ କଡା ଟକ୍କର ଦେଉଛନ୍ତି ତିନି ତିନିଥରର ବିଧାୟକ ନୀତିଶ ଗଙ୍ଗଦେବ । ତ୍ରିମୁଖୀ ଲଢେଇ ପାଇଁ କଂଗ୍ରେସ ଟିକେଟରେ ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ।

ଏହି ପର୍ଯ୍ୟାୟରେ ୬ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ମହେଶ୍ୱର ମହାନ୍ତି, ଅଶୋକ ପଣ୍ଡା ଓ ଚନ୍ଦ୍ର ସାରଥୀ ବେହେରା ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସେହିପରି ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ମଧ୍ୟ ଏହି ପର୍ଯ୍ୟାୟରେ ନିର୍ବାଚନର ସାମ୍ନା କରୁଛନ୍ତି ।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା କେନ୍ଦୁଝର ଘସିପୁରାରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ କଂଗ୍ରେସର ୪ ପୂର୍ବତନ ସଭାପତି ମଧ୍ୟ ଏହି ପର୍ଯ୍ୟାୟରେ ଭୋଟରଙ୍କୁ ସାମ୍ନା କରୁଛନ୍ତି । ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାମାକ୍ଷା ପ୍ରସାଦ ସିଂଦେଓ ଏବଂ ଶରତ ପଟ୍ଟନାୟକ ନିର୍ବାଚନୀ ମୈଦାନରେ ଅଛନ୍ତି ।

ହେଭିୱେଟ୍
ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ତୃତୀୟ ପର୍ଯ୍ୟାୟରେ ଇଭିଏମରେ ସିଲ ହୋଇଯିବ । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଅରବିନ୍ଦ ଢାଲି, ସଂଜୟ ଦାସବର୍ମା, ପ୍ରଦୀପ ମହାରଥୀ, ଦେବୀ ପ୍ରସାଦ ମିଶ୍ରଙ୍କ ସହ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୋଟରଙ୍କୁ ସାମ୍ନା କରିବେ । ବିଜେପି ଶିବିରରୁ ପୂର୍ବତନ ମନ୍ତ୍ରୀ ସମୀର ଦେ, ସୁରମା ପାଢୀଙ୍କ ସହ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଅପରାଜିତା ମହାନ୍ତି ଓ କଂଗ୍ରେସ କ୍ୟାମ୍ପରୁ ସୁରେଶ ରାଉତରାୟଙ୍କ ସହିତ ଡାକ୍ତର ଅଶ୍ୱୀନ ପୂଜାହାରୀ ଆଦିଙ୍କ ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ପଡିବ ।