କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗତକାଲିଠୁ ବିଭିନ୍ନ ବୁଥକୁ ଇଭିଏମ, ଭିଭିପାଟ ଧରି ମତଦାନ କେନ୍ଦ୍ରକୁ ଯାଉଛନ୍ତି ପୋଲିଂ ଅଧିକାରୀ । ଶୃଙ୍ଖଳାର ସହ ମତଦାନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ପଡିବ ଭୋଟ । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୩୫ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ମଇଦାନରେ ୩୦୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଲୋକସଭା ଓ ବିଧାନସଭା ଆସନରେ ୨୦୧୯ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡିର ପଲା ଭାରି ରହିଛି । ମୋଟ ୩୫ ବିଧାନସଭା ଆସନରୁ ବିଜେଡି ଏକାକି ୨୬ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲା । ସେହିପରି ୫ ଲୋକସଭା ଆସନରୁ ବିଜେପି ୩ଟି ଆସନ ଜିଣିଥିବା ବେଳେ ବିଜେଡି ୨ଟି ଆସନରେ ବିଜୟୀ ହୋଇଥିଲା । ଏହି ପର୍ଯ୍ୟାୟରେ ବହୁ ହେଭିେଓକ୍ୱଟ ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ୧୩ଜଣ ହେଭିୱେଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ଟି ଆସନ ହିଞ୍ଜିିଳି ଓ କଣ୍ଟାବାଞ୍ଜିରେ ଆସନ୍ତାକାଲି ଭୋଟ ପଡିବାକୁ ଯାଉଛି ।