ସରିଲା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମତଦାନ। ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ।

52

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବା ପାଇଁ ଭୋଟରଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଗଣତନ୍ତ୍ରର ଏହି ବଡ଼ ପର୍ବରେ ସାମିଲ ହେବା ପାଇଁ ସକାଳୁ ସକାଳୁ ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ ଭୋଟର । କଡ଼ା ସୁରକ୍ଷା ମଧ୍ୟରେ ମତଦାତା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି । ୫ ବର୍ଷକୁ ଥରେ ଭୋଟ୍ ଦେବାକୁ ସୁଯୋଗ ମିଳିଥିବାରୁ ଲୋକେ ଏହାକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି ।

ଅହମ୍ମଦାବାଦରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରନିକ୍ ଅଂଚଳର ନିଶାନ୍ ପବ୍ଲିକ ସ୍କୁଲରେ ଭୋଟିଂ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଧାଡିରେ ଛିଡା ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ବେଳେ ମୋଦୀ ସମସ୍ତ ଗୁଜରାଟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଗଣତନ୍ତ୍ରର ଏହି ବଡ଼ ପର୍ବରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ବିଧାନସଭା ଆସନ ଦୀର୍ଘ ବର୍ଷ ଧରି ବିଜେପି ଅଧୀନରେ ରହିଛି । ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହ ଅହମଦାବାଦର ନାରଣପୁରରେ ଭୋଟ୍ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଓ ଝିଅ ଭୋଟ୍ ଦେଇଛନ୍ତି ।

ଗୁଜରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବଡ଼ ଫ୍ୟାକ୍ଟର ହେବ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଆପର ବଡ଼ ବଡ଼ ନେତା ଗୁଜରାଟରେ ଘନଘନ ପ୍ରଚାର କରିଥିଲେ । ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭୀ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି । ଗଢବୀ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଲୋକଙ୍କୁ ଅପିଲ୍ କରିବା ସହ ରାଜ୍ୟରେ ତାଙ୍କ ଦଳ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି । ସେପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟରେ ପୁଣିଥରେ ବିଜେପି ସରକାର ଗଠନ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଗୁଜରାଟରେ ବିଜେପି ଓ ଆମ୍ ଆଦମୀ ପାର୍ଟି ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୯୩ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି । ସେହିପରି କଂଗ୍ରେସ ୯୦ଟି ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ସହଯୋଗୀ ଦଳ ଏନସିପି ଦୁଇଟି ଆସନରେ ଲଢ଼ୁଛି । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ପଡ଼ିଥିଲା ଭୋଟ୍ । ମୋଟ ୧୮୩ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ କିଏ ବାଜି ମାରୁଛି, ତାହା ୮ ତାରିଖରେ ସ୍ପଷ୍ଟ ହୋଇଯିବ ।