ରାତି ପାହିଲେ ଭୋଟ ଦେବ ଓଡିଶା । ୫ ବର୍ଷ ପାଇଁ ନେତା ବାଛିବେ ଜନତା, ଜାଣନ୍ତୁ ଚଳିତ ନିର୍ବାଚନରେ କଣ ରହିଛି ନୂଆ ବ୍ୟବସ୍ଥା?

122

କନକ ବ୍ୟୁରୋ : ରାତି ପାହିଲେ ଭୋଟ୍ । ନେତା ବାଛିବେ ଜନତା । ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ ଚୁଡାନ୍ତ ହୋଇଛି ପ୍ରସ୍ତୁତି । ପ୍ରସ୍ତୁତ ହୋଇରହିଛି ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ।ଆଉ ନିର୍ବାଚନକୁ ଦୃଷ୍ଟିରେ ରଖି, ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ମାଓ ଇଲାକାରେ ଆକାଶମାର୍ଗରୁ ହେବ ସୁରକ୍ଷା ବ୍ୟବସ୍ଥାର ତଦାରଖ ।

ଲାଲଗଡରେ ପୁଲିଂ ଟିମ୍ । ଆକାଶମାର୍ଗରେ ଗଲେ ସ୍ୱାଭିମାନ ଅଂଚଳ । ହାତରେ ପୁଲିଂ କିଟ୍ , ମନରେ ଅନେକ ଉତ୍ସାହ । ମାଓ ଅଧ୍ୟୁଷିତ ଅଂଚଳରେ ପୁଲିଂ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ କରିଥିଲା ଏଭଳି ବ୍ୟବସ୍ଥା । କୌଣସି ଅଘଟଣ ଏଡାଇବାକୁ ଆକାଶମାର୍ଗରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ପୁଲିଂ କର୍ମଚାରୀଙ୍କୁ ପହଁଚାଇ ଦିଆଯାଇଛି ପୁଲିଂ ସେଂଟରରେ । କୁନ୍ତୁରିପଦର ବେସ୍ କ୍ୟାମ୍ପକୁ ଏମିତି ୪ ଥରରେ ପହଁଚିଛନ୍ତି ସମସ୍ତ ପୁଲିଂ କର୍ମଚାରୀ ।

ଆସନ୍ତାକାଲି ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୨୧୭ ଜଣ ପ୍ରାର୍ଥୀ । ଭୋଟରଙ୍କ ନିଷ୍ପତି ଆସନ୍ତା ୫ ବର୍ଷ ଯାଏଁ ନେତାଙ୍କ ରାଜନୈତିକ ଭବିଷ୍ୟତ ସହ ଯୋଡିହୋଇ ରହିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଏହି ୪ଟି ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ବନ୍ଦ ହେବ । ସେହିପରି ୨୮ଟି ବିଧାନସଭା ପାଇଁ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ପ୍ରଥମ ପର୍ଯ୍ୟାୟର କେଉଁ ଲୋକସଭା ଆସନ ଅଧିନରେ କେଉଁ କେଉଁ ବିଧାନସଭା ଆସନ ରହିଛି ।

– ବ୍ରହ୍ମପୁର ଲୋକସଭା ଆସନ ଅଧିନରେ ରହିଛି ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି

– କୋରାପୁଟ ଲୋକସଭା ଆସନ ଅଧିନରେ ରହିଛି ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗି

– ସେହିପରି ନବରଙ୍ଗପୁର ଲୋକସଭା ଆସନ ଅଧିନରେ ରହିଛି ଉମରକୋଟ୍, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା

– କଳାହାଣ୍ଡି ଲୋକସଭା ଆସନ ଅଧିନରେ ରହିଛି ନୂଆପଡା, ଖରିଆର, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ  ନର୍ଲା ବିଧାନସଭା ଆସନ

ଅତି ସମ୍ବେଦନଶୀଳ ୭୭୭ଟି ବୁଥରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି । ୨୧୫ଟି ବୁଥରେ ସିସିଟିଭି, ୮୮୬ଟି ବୁଥରେ ୱେବ କାଷ୍ଟିଂ, ୪୦୮ ବୁଥରେ ମାଇକ୍ରୋ ଅବଜରବର ଓ ୨୬୦ଟି ବୁଥରେ ମତଦାନର ଭିଡିଓଗ୍ରାଫି କରାଯିବ । ମାଓପ୍ରବଣ ଦୁର୍ଗମ ଅଂଚଳରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏବଂ ଅନ୍ୟ ଅଂଚଳଗୁଡିକରେ ସଂଧ୍ୟା ୭ଟା ଯାଏଁ ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟରେ ଭୋଟ ପଡିବାକୁ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ରହିଛି ୭ ହଜାର ୨୩୩ଟି ବୁଥ୍ । ଏଥିମଧ୍ୟରୁ ୨ ହଜାର ୩୭୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୦ ଲକ୍ଷ ୩ ହଜାର ୭୦୭ ମତଦାତା ରହିଛନ୍ତି । ତେବେ ଏଥିରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି ।  ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ଭୋଟର ରହିଥିବା ବେଳେ ୨୯ ଲକ୍ଷ ୭୨ ହଜାର ୯୨୫ ଜଣ ପୁରୁଷ ମତଦାତା ରହିଛନ୍ତି । ଗୁରୁବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି ୪୭ ହଜାର ୮୦୫ ଜଣ କର୍ମଚାରୀ ।