ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ୨୦ ତାରିଖରେ ପଡିବ ଭୋଟ । ୩୦୫ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର

156

କନକ ବ୍ୟୁରୋ: ସୋମବାର ଦିନ ବରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା ପାଇଁ ନିର୍ବାଚନ ହେବ । ୨ୟ ପର୍ଯ୍ୟାୟରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନିତୀରେ ବେଶ ପ୍ରଭାବ ପକାଇବ । ତେଣୁ ଶେଷ ମୁହୁର୍ତ୍ତରେ ୩୦୫ ଜଣ ପ୍ରାର୍ଥିୀ ଭୋଟରଙ୍କ ବିଶ୍ୱାସ ଜିତିବା ପାଇଁ ମୈଦାନରେ ପୁରା ଦମ ଲଗାଇଦେଇଛନ୍ତି ।

  • ସରିଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର
  • କିଏ ମାରିବ ବାଜି?
  • ହେଭିୱେଟଙ୍କ ଅଗ୍ନି ପରୀକ୍ଷା

ପାଞ୍ଚ ପାଞ୍ଚ ଥର ହିଞ୍ଜିଳି ଆସନରୁ ଜିତି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ, ଷଷ୍ଠ ଥର ପାଇଁ ଲଢ଼ୁଥିବାରୁ ଏଥର ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ୨୦ ତାରିଖରେ ନବୀନଙ୍କ ଭାଗ୍ୟ ଇଭିଏମରେ ସିଲ ହେବ । ବଡ କଥା ହେଉଛି ନବୀନ ଲଢୁଥିବା ୨ଟି ଆସନରେ ସୋମବାର ଭୋଟ ପଡିବ ।

ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ସୁରେନ୍ଦ୍ର ଭୋଇ, ସଙ୍ଗୀତା ସିଂହଦେଓ ଓ ଅଭିନେତାରୁ ନେତା ବନିଥିବା ମନୋଜ ମିଶ୍ରଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ସେହିପରି ବିଧାନସଭା ପାଇଁ କଳିକେଶ ସିଂହଦେଓ, ସମରେନ୍ଦ୍ର ମିଶ୍ର, ସନ୍ତୋଷ ସିଂହ ସାଲୁଜା, ଟୁକୁନି ସାହୁ ଓ କନକ ବର୍ଦ୍ଧନ ସିଂଦେଓଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ସେହିପରି ପଶ୍ଚିମ ଓଡିଶାର ହଟ୍ ସିଟ୍ ହେଉଛି ବରଗଡ । ବିଜେପିର ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଭଟଲିର ସୁଶାନ୍ତ ସିଂହ, ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ଭଳି ନେତାଙ୍କର ଭାଗ୍ୟ ପରୀକ୍ଷା ହେଉଛି ।

ପଶ୍ଚିମ ଓଡିଶାର ରାଜନୈତିକ ପ୍ରାଣକେନ୍ଦ୍ର ସୁନ୍ଦରଗଡ । ହେଭିୱେଟଙ୍କ ଲଢେଇ ରାଜନୀତିକୁ ରୋଚକ କରିଛି । ଏମପି ସିଟ୍ ପାଇଁ ଜୁଏଲ ଓରାମ, ଦିଲ୍ଲୀପ ତିର୍କୀ ଓ ଜନାର୍ଦ୍ଦନ ଦେହୁରୀଙ୍କ ମଧ୍ୟରେ କଡା ଲଢେଇ ହେଉଛି । ସେହିପରି ବିଧାନସଭା ପାଇଁ ଦିଲ୍ଲୀପ ରାୟ , ସାରଦା ନାୟକ, କୁସୁମ ଟେଟେ ଓ ଯୋଗେଶ ସିଂହଙ୍କ ଭିତରେ ଆରପାର ଲଢେଇ ହେଉଛି । ସେପଟେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ଭଳି ଚେହେରାଙ୍କ ପାଇଁ ୨୪ ହେଉଛି ଅଗ୍ନି ପରୀକ୍ଷା ।

ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ଫଳାଫଳ କଣ ହେବ, କାହା ସପକ୍ଷରେ ଜନାଦେଶ ଯିବ? ଏହାକୁ ନେଇ ଅଙ୍କକଷା ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ୩୫ ବିଧାନସଭା ଓ ୫ ଲୋକସଭା ଯାହା ହାତକୁ ଯିବ ୨୪ ନିର୍ବାଚନର ବାଜିଗର ହୋଇପାରେ । ୨୦୧୯ ନିର୍ବାଚନରେ ଏହି ୫ ଲୋକସଭା ଆସନରୁ ସୁନ୍ଦରଗଡ, ବରଗଡ ଓ ବଲାଙ୍ଗୀରରେ ବାଜି ମାରିଥିଲା ବିଜେପି । କନ୍ଧମାଳ ଓ ଆସ୍କାରେ ବିଜେଡି ବିଜୟ ହାସଲ କର୍ିଥିଲା । ସେହିପରି ୩୫ ବିଧାନସଭା ଆସନରୁ ବିଜେଡିକୁ ୨୬, ବିଜେପି ୪, କଂଗ୍ରେସ ୪ ଓ ସିପିଏମକୁ ଗୋଟିଏ ଆସନ ମିଳିଥିଲା ।