କନକ ବ୍ୟୁରୋ : କରୋନା କାଳରେ ଦେଶର ପ୍ରଥମ ନିର୍ବାଚନ । ବିହାର ବିଧାନସଭା ଲାଗି ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୭୧ ଆସନରେ ମତଦାନ । ବିଶ୍ୱ ମହାମାରୀ କରୋନାର ସଂକ୍ରମଣ ଭିତରେ କିଭଳି ହେବ ବିହାର ବିଧାନସଭା ନିର୍ବାଚନ । ସାରା ଦେଶର ନଜର ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ଲାଖି ରହିଛି । କାରଣ ବୁଧବାର ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ । କରୋନା ସଂକ୍ରମଣର ସମ୍ଭାବନାକୁ ଏଡାଇ ଅବାଧ ଓ ନିରକ୍ଷେପ ନିର୍ବାଚନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ନିର୍ବାଚନ କମିଶନ୍ ।

Advertisment

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
- ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩
- ବୁଧବାର ମୋଟ୍ ୭୧ଟି ଆସନ ପାଇଁ ହେବ ମତଦାନ
- ନିର୍ବାଚନୀ ମୈଦାନରେ ୧ ହଜାର ୬୬ ଜଣ ପ୍ରାର୍ଥୀ
- ମତଦାନ କରିବେ ୨ କୋଟି ୧୪ ଲକ୍ଷ ଭୋଟର

କରୋନା ସଂକ୍ରମଣକୁ ଏଡାଇବା ପାଇଁ ଗୋଟିଏ ପୋଲିଂ ବୁଥରେ ସର୍ବାଧିକ ୧ ହଜାରରୁ ୧୬ଶହ ଭୋଟର ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ମତଦାତାମାନେ ଭିନ୍ନ ଭିନ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବେ । ସେହିପରି ୮୦ ବର୍ଷରୁ ଉଦ୍ଧ୍ୱର୍ ମତଦାତା ଘରେ ରହି ପୋଷ୍ଟାଲ ବାଲଟରେ ମତଦାନ କରିବେ । କୋଭିଡ ସଂକ୍ରମିତ ମତଦାତା ଶେଷରେ ମତଦାନ କେନ୍ଦ୍ରକୁ ଆସିବେ ବୋଲି ଗାଇଡଲାଇନ ଜାରି କରାଯାଇଛି ।

ବିହାର ବିଧାନସଭା ନିର୍ବାଚନରେ ଏଥର ମୁଖ୍ୟତଃ ଦୁଇଟି କ୍ୟାମ୍ପ ମଧ୍ୟରେ ଲଢେଇ ହେଉଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଏବଂ ବିଜେପିକୁ ନେଇ ଏନଡିଏ ମେଂଟ । ଅନ୍ୟପଟେ ଆରଜେଡିର ଯୁବ ନେତା ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ଓ ବାମଦଳର ମହାମେଂଟ ରହିଛି ।

୭୧ ଆସନରୁ କିଏ କେତେ ?
- ଜେଡିୟୁ- ୪୧
- ବିଜେପି- ୨୯
- ଆରଜେଡି- ୪୨
- କଂଗ୍ରେସ- ୨୧
- ଏଲଜେପି- ୪୧

ପ୍ରଥମ ପର୍ଯ୍ୟାୟରେ ୫୯୨ ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୧୧୪ । ଗୟା ଟାଉନରୁ ସର୍ବାଧିକ ୨୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବାଙ୍କା ଜିଲ୍ଲାର କାଟୋରିଆ ନିର୍ବାଚନ କ୍ଷେତ୍ରରୁ ସର୍ବନିମ୍ନ ୫ ଜଣ ପ୍ରାର୍ଥୀ ରହିଛନ୍ତି ।

ଏହି ପର୍ଯ୍ୟାୟରେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସର୍ବକନିଷ୍ଠ ପ୍ରାର୍ଥୀ ହେଉଛନ୍ତି ୨୦୧୮ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ବିଜୟୀ ଶ୍ରେୟସୀ ସିଂ । ୨୭ ବର୍ଷୀୟ ଶ୍ରେୟସୀ ବିଜେପି ଟିକେଟରେ ଜାମୁଇ ନିର୍ବାଚନ କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଠାରେ ବର୍ତମାନର ବିଧାୟକ ବିଜୟ ପ୍ରକାଶ ଯାଦବଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଶ୍ରେୟସୀ । ହେଲେ ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ୱାନ ମଧ୍ୟ ବିଜେପି ଟିକେଟରେ ଡେବ୍ୟୁ କରୁଥିବା ଶ୍ରେୟସୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଜାମୁଇରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏଲଜେପି ନେତା ଚିରାଗ ପାଶ୍ୱାନ । ଏନଡିଏରୁ ଓହରି ସେ ବିଜେପି ଓ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଶ୍ରେୟସୀଙ୍କୁ ଜଣାଇଛନ୍ତି ସମର୍ଥନ ।