ଧାମନଗର ଉପନିର୍ବାଚନରେ ୬୬.୬୩% ମତଦାନ : ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷାରେ ସବୁ ଇଭିଏମ; ଭୋଟ ଗଣତିକୁ ଅପେକ୍ଷା

108

କନକ ବ୍ୟୁରୋ : ଧାମନଗର ପାଇଁ ନେତା ବାଛିଛନ୍ତି ଧାମନଗରର ଭୋଟର । କଡା ସୁରକ୍ଷା ମଧ୍ୟରେ ଗତକାଲି ସରିଛି ଧାମନଗର ଉପନିର୍ବାଚନ । ମୋଟ ୬୬. ୬୩ ପ୍ରତିଶତ ଭୋଟିଂ ହୋଇଛି । ଆଉ ଇଭିଏମରେ ସିଲ୍ ହୋଇଯାଇଛି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୫ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟା ମତଦାନ ଆରମ୍ଭ ହୋଇ ୬ଟା ପର୍ଯ୍ୟନ୍ତ ଚାଲିଥିଲା । କିଛି ବୁଥରେ ଇଭିଏମ ଅଚଳ ହେବା ଯୋଗୁଁ ରାତି ପର୍ଯ୍ୟନ୍ତ ମତଦାନ ହୋଇଥିବାର ମଧ୍ୟ ଖବର ମିଳିଛି ।

ପ୍ରଥମରୁ ତିନି ପ୍ରାର୍ଥୀ ନିଜର ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ କରିଥିଲେ । ମାତ୍ର ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେବାରୁ ବଂଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ମୋଟ୍ ୨୫୨ଟି କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା । ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଇଭିଏମ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ପ୍ରତିଦ୍ୱନ୍ଦ୍ୱିତାରେ ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ରହିଛନ୍ତି । ତେବେ କିଏ ବାଜି ମାରୁଛି, ୬ ତାରିଖ ଭୋଟ ଗଣତି ପରେ ଜଣାପଡ଼ିବ ।