ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟିଂ ଜାରି : ଥର୍ମାଲ ସ୍କ୍ରିନିଂ ପରେ ଭୋଟ୍ ଦେଉଛନ୍ତି ଭୋଟର

161

କନକ ବ୍ୟୁରୋ : ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଭୋଟ ଦେବା ପାଇଁ ଭୋଟଗ୍ରହଣ କେନ୍ଦ୍ରରେ ଲୋକଙ୍କ ଭିଡ ଲାଗିଛି । ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ଭୋଟ ଦେଉଛନ୍ତି ଭୋଟର । ଏହା ସନ୍ଧ୍ୟା ୬ଟାରେ ଶେଷ‌ ହେବ। ସନ୍ଧ୍ୟା ୬ଟା ମଧ୍ୟରେ ୪ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ଟି ବୁଥରେ ମତଦାନ କରିବେ । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବେ । କରୋନା କଟକଣା ଭିତରେ ଆରମ୍ଭ ହେଉଛି ଭୋଟ ଗ୍ରହଣ । ଭୋଟର କେମିତି ଲାଇନ୍‌ରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ କଟକଣା ଜାରି କରାଯାଇଛି ।

ଭୋଟରମାନେ ଧାଡିରେ ଛିଡା ହେବାବେଳେ ସେମାନଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି। ସେହିପରି ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧିବେ । ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧିବେ। ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ।