ନିର୍ବାଚନ ପୂର୍ବରୁ ବିକ୍ରି ହୋଇଗଲା ଭୋଟ୍ । ନୟାଗଡ ଦଶପଲାରେ ଗାଁ କମିଟି ନେଲା ନିଷ୍ପତି, କାହାକୁ ଦିଆଯିବ ଭୋଟ୍ ।

314

କନକ ବ୍ୟୁରୋ : ବଲାଙ୍ଗିର ପରେ ନୟାଗଡ । ବଲାଙ୍ଗିରରେ ସରପଞ୍ଚ ପଦବୀ ନିଲାମ ନେଇ ଚର୍ଚ୍ଚା ଥମିନଥିବା ବେଳେ ୱାର୍ଡ ସଭ୍ୟ ନିଲାମ ନେଇ ଖବର ଆସିଛି ନୟାଗଡ ଜିଲ୍ଲାରୁ । ଦଶପଲ୍ଲା ବ୍ଳକ ଡିହଗାଁ ପଞ୍ଚାୟତର ୨ଟି ୱାର୍ଡ ସଭ୍ୟ ନିଲାମ ହୋଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଏକଥାକୁ କିଛି ଗ୍ରାମବାସୀ ଅସ୍ୱୀକାର କରିଥିବା ବେଳେ ଏହାର ତଦନ୍ତ କରିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ନୟାଗଡରେ ୱାର୍ଡ ମେମ୍ବର ପଦ ନିଲାମ ! ନିଲାମ ମୂଲ୍ୟ ୬୨ ହଜାର ଟଙ୍କା ! ସାମାନ୍ୟ ୱାର୍ଡ ମେମ୍ବର ଆସନ ପାଇଁ ନିଲାମ ମୂଲ୍ୟ ୬୨ ହଜାର ଟଙ୍କା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନୟାଗଡ ଦଶପଲ୍ଲା ବ୍ଳକ ଡିହଗାଁ ପଞ୍ଚାୟତର ୩ ନମ୍ବର ୱାର୍ଡର ୱାର୍ଡମେମ୍ବର ପଦବୀ ପାଇଁ ଏଭଳି ନିଲାମ ହୋଇଥିବା ଅଭିଯୋଗ ହୋଇଛି ।

ପ୍ରାୟ ୩୦ ବର୍ଷ ହେଲାଣି, ଗାଁ କମିଟିରେ ଏଭଳି ନିଷ୍ପତି ନିଆଯାଉଥିବା ସୂଚନା ମିଳିଛି । ୱାର୍ଡ ମେମ୍ବର ପଦବୀକୁ ନିଲାମରେ ନେଉଥିବା ବ୍ୟକ୍ତି ଟଙ୍କା ଦେଇ ଭୋଟ କିଣୁଥିବାରୁ ଗରିବ ଲୋକଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି । ଦଲକସାହି ଗାଁ ଭଳି ୧୮ ନମ୍ବର ୱାର୍ଡ ଦିଗିରି ଗାଁରେ ୫୦ ହଜାରରୁ ଅଧିକ ଟଙ୍କାରେ ୱାର୍ଡ ମେମ୍ବର ପଦବି ନିଲାମ ହୋଇଥିବା ଚର୍ଚ୍ଚା ହେଉଛି । ୩୦ ହଜାର ୧ ଟଙ୍କାରୁ ନିଲାମ ଆରମ୍ଭ ହୋଇ ୫୧ ହଜାର ଟଙ୍କାରେ ଛିଡିଥିବା ଜଣାପଡିିଛି । ୫ ଆଶାୟୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଭୋଟ ଦେବାକୁୁ ଗାଁ କମିଟିରେ ନିଷ୍ପତି ହୋଇଛି । ତେବେ ଗାଁ କମିଟି ନିଲାମୀ କଥାକୁ ଅସ୍ୱୀକାର କରିଥିବାବେଳେ ପ୍ରାର୍ଥୀଙ୍କୁ ମନୋନିତ କରିଥିବା କହିଛନ୍ତି ।

ନୟାଗଡର ୱାର୍ଡମେମ୍ବର ପଦବୀ ନିଲାମ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ତେବେ ପଞ୍ଚାୟତ ନିର୍ବାଚନରେ ଗାଁ କମିଟିର ଏଭଳି ନିଷ୍ପତି ଯୋଗୁଁ ଗାଁର ଏକତା ନାଁରେ ଭୋଟରଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଯାହାକି ଗଣତନ୍ତ୍ର ଓ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।