କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ସରିଛି ପଂଚମ ପର୍ଯ୍ୟାୟ ମତଦାନ । ବ୍ଲକର ୫ଟି ଜୋନ୍ ପାଇଁ ୪୭୪ ଟି ବୁଥ୍ରେ ହୋଇଛି ଭୋଟଗ୍ରହଣ । ୩୧ଟି ପଂଚାୟତ ପାଇଁ ଲକ୍ଷେ ୬୬ ହଜାର ଭୋଟର ଭୋଟିଂ ଦେଇଛନ୍ତି । ତେବେ କେନ୍ଦ୍ରାପଡ଼ା ମହାକାଳପଡ଼ା ଗଡ଼ରୋମିତ ପଂଚାୟତର ମଦରଙ୍ଗାଡ଼ିଆ ଗାଁର ଲୋକେ ଡ଼ଙ୍ଗାରେ ନଦୀ ପାର ହୋଇ ମତଦାନ କରିଛନ୍ତି । ଗଡ଼ରୋମିତ ପଂଚାୟତ ୭ ନମ୍ବର ୱାର୍ଡ଼ର ଅଧା ଭାଗ ନଦୀ ଆରପଟେ ରହିଛି । ପ୍ରତି ପାଂଚବର୍ଷରେ ନିର୍ବାଚନ ଆସିଲେ ନଦୀ ପାର ହୋଇ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଏବଂ ଗ୍ରାମବାସୀ ମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ଭୋଟ ଦେଇଥାଆନ୍ତି ।
ଏପରିକି ପଂଚାୟତ କାର୍ଯ୍ୟାଳୟରେ କୌଣସି କାମ ପଡ଼ିଲେ ଲୋକଙ୍କୁ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ । ତେଣୁ ମଦରଙ୍ଗାଡ଼ିଆ ଗାଁରେ ଭୋଟ୍ ଦେବାକୁ ଏକ ବୁଥ ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଗାଁରେ ପ୍ରାୟ ୩୦ରୁ ଅଧିକ ପରିବାର ରହିଥିବା ବେଳେ ପ୍ରାୟ ୧୧୦ରୁ ଅଧିକ ଭୋଟର ରହିଛନ୍ତି ।
ଭୋଟ ପାଇଁ ବିପଦ ସଂକୁଳ ନଦୀ ପାର । କୌଣସି ଉପାନ୍ତ ଏରିୟା ନୁହେଁ ବାଲେଶ୍ୱର ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଥିବା ରେମୁଣା ବ୍ଲକର କଳମପାହିଗଢିଆରୁ ଆସିଛି ଏଭଳି ଚିତ୍ର । ଭୋଟ ଦେବା ପାଇଁ କଳମପାହିଗଢିଆ ଗ୍ରାମବାସୀ ମାନେ ଏଭଳି ନଦୀ ପାର ହୋଇଛନ୍ତି । ଖାଲି ନିର୍ବାଚନ ପାଇଁ ନୁହେଁ ପ୍ରତିଦିନ ପୋଲ ନଥିବାରୁ ଏଭଳି ନଦୀ ପାର ହେଉଛନ୍ତି ଲୋକେ । ଗର୍ଭବତୀ ମହିଳାଙ୍କ ଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ସମସ୍ତେ ଏଭଳି ବିପଦସଂଙ୍କୁଳ ନଦୀ ପାର ହେଉଛନ୍ତି । ନିର୍ବାଚନ ବେଳେ ନେତା ଗଦାଗଦା ପ୍ରତିଶୃତି ଦେଉଥିବା ବେଳେ ନିର୍ବାଚନ ପରେ ତାହା ଭୁଲିଯାଉଛନ୍ତି ।