ଆମ ମୌଜାରୁ ପ୍ରାର୍ଥୀ ନଦେଲେ ଭୋଟ ଦେବୁନି: ଏମିତି ଚେତାବନୀ ଦେଲେ ୧୯ ଖଣ୍ଡ ମୌଜାର ଭୋଟର

260

କନକ ବ୍ୟୁରୋ: ନେତୃତ୍ୱ ନେବାର ସୁଯୋଗରୁ ବଞ୍ଚିତ କରିବା ନେଇ ଜିଲ୍ଲାର ଉପାନ୍ତ ୧୯ ଖଣ୍ଡ ମୌଜା ଅଂଚଳରେ ତେଳୁଛି ଅସନ୍ତୋଷ । ପୁଣିଥରେ ଦେଖା ଦେଇଛି ଉପେକ୍ଷା ବିରୋଧରେ ସ୍ୱର । ଏଯାଏଁ ୧୯ ଖଣ୍ଡ ମୌଜାରୁ କେବେ ବି ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ଲାଗି କୌଣସି ରାଜନୈତିକ ଦଳ ସୁଯୋଗ ଦେଇ ନାହାନ୍ତି । ଏଥର ରାଜନୈତିକ ଦଳ ଗୁଡ଼ିକ ୧୯ ଖଣ୍ଡ ମୌଜାରୁ ପ୍ରାର୍ଥୀ ନଦେଲେ ମହଙ୍ଗା ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ବହୁତ ସହିଲୁ, ଆଉ ନୁହେଁ ବୋଲି ରାଜନୈତିକ ଦଳ ଗୁଡ଼ିକୁ ଚେତାବନୀ ଦେଇ ବିଭିନ୍ନ ଛକ ମାନଙ୍କରେ କାନ୍ଥବାଡ଼ରେ ପୋଷ୍ଟର ମରା ଯାଇଥିବା ଘଟଣା ସମଗ୍ର ଅଂଚଳରେ ରାଜନୈତିକ ଚର୍ଚ୍ଚାକୁ ସରଗରମ କରିଛି । ଏଭଳି ପୋଷ୍ଟର ଲାଗିଛି ଓଡିଶା ଦ୍ୱିତୀୟ ବୃହତମ ବ୍ଲକ ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ । ଛତିଶଗଡ ସୀମାକୁ ଲାଗି ରହିଛି ଏହି ୧୯ ଖଣ୍ଡ ମୌଜା ।କଣ୍ଢେଇକେଲା, ରେମତା, ଚାରପାଲି ଏବଂ ପିଥଣ୍ଡାଭଳି ୪ ଟି ପଂଚାୟତକୁ ମିଶାଇ ୧୯ ଖଣ୍ଡ ମୌଜା ଗଠିତ ହୋଇଛି ।

ଏହି ଅଂଚଳରୁ ବିଗତ ଦିନରେ କାହାରିକୁ ଜିଲ୍ଲା ପରିଷଦରେ ପ୍ରତିନିଧତ୍ୱ କରିବା ଲାଗି କୌଣସି ଦଳ ସୁଯୋଗ ଦେଇ ନାହାନ୍ତି । ଲଖନପୁର ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ଗଠନ ହେବାଠାରୁ ଏଯାଏଁ ଏ ଅଂଚଳରୁ ଜଣେ ହେଲେ ପ୍ରାର୍ଥୀ ହୋଇ ନାହାନ୍ତି ।ଯାହାକୁ ନେଇ ଏଥର ସ୍ଥାନୀୟ ଲୋକଙ୍କ ଭିତରେ ଦେଖା ଦେଇଛି ଅସନ୍ତୋଷ । କୌଣସି ନିର୍ଦ୍ଦିଷ୍ଟ ଦଳ ନୁହେଁ ବରଂ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକୁ ଟାର୍ଗେଟ କରି ଏବେ ପୋଷ୍ଟର ବାଜି ଆରମ୍ଭ ହୋଇଛି ।

୧୯ ଖଣ୍ଡ ମୌଜାରୁ କାହାକୁ ପ୍ରାର୍ଥୀ କରାଯାଇ ନଥିବା ବେଳେ ସେଠାକାର ଦାବି, ସ୍ୱର, କେବେ ପ୍ରଶାସନ ପାଖରେ ପହଂଚୁ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଫଳରେ ଏ ୧୯ ଖଣ୍ଡ ଅଂଚଳରୁ ପ୍ରାର୍ôଥ ଦେବା ପାଇଁ ବିଭିନ୍ନ ଛକ ନିକଟରେ ଏହି ଅଜଣା ପୋଷ୍ଟର ଲାଗିଥିବା ବେଳେ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ପାଲଟିଲାଣି । କାରଣ ୧୯ ଖଣ୍ଡ ମୌଜାରୁ ପ୍ରାର୍ଥୀ ନଦେଲେ ଅଂଚଳବାସୀ ଭୋଟବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।