କନକ ବ୍ୟୁରୋ : ପ୍ରଚାର କରିବାକୁ ଯାଇ ନିଜ ଜିଲ୍ଲାରେ ହଟହଟା ହେଲେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ । ଏହି ଘଟଣା ଦୁଇ ଦିନ ତଳର ବୋଲି ଜଣାପଡିଛି । ଟୁକୁନି ସାହୁ ପ୍ରଚାର କରୁଥିବା ବେଳେ ଲୋକେ ତାଙ୍କୁ ପୂର୍ବ ପ୍ରତିଶ୍ରୁତି କୁଆଡେ ଗଲା କହି ଜବାବ ମାଗିଛନ୍ତି । ଭୂମିହୀନଙ୍କୁ ଏଯାବତ କାହିଁକି ପଟ୍ଟା ମିଳିନି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଆଉ ମନ୍ତ୍ରୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଏକାଧିକ ଗାଁରେ ଏଭଳି ପ୍ରଶ୍ନବାଣର ଶିକାର ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

Advertisment

ସେହିପରି ବଲାଙ୍ଗୀରର କଂଗ୍ରେସ ବିଧାୟକ ମଧ୍ୟ ଲୋକଙ୍କ କ୍ଷୋଭର ଶିକାର ହୋଇଛନ୍ତି । ନିର୍ବାଚନ ପ୍ରଚାର ପାଇଁ ବଲାଙ୍ଗୀର ଆଗଲପୁର ବ୍ଲକ ରେଙ୍ଗାଲି ଗାଁକୁ ଯାଇଥିଲେ ନରସିଂହ । ଏହି ସମୟରେ ପୂର୍ବତନ ବିରୋଧୀ ଦଳର ନେତା ହଟହଟା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରଚାର କରୁଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବାର ଦେଖିବାକୁ ମିଳିଥିଲା ।

ଆଉ ଏଭଳି କିଛି ଦୃଶ୍ୟ ସଂକେତ ଦେଉଛି ଯେ, ଭୋଟର ଆଉ ମଦ, ମାଂସ ଓ ଟଙ୍କାରେ ମୁଣ୍ଡ ବିକିବେ ନାହିଁ । ଭୋଟରଙ୍କୁ ବିକାଶ ଦରକାର, ଦୁଃଖ ବୁଝୁଥିବା ନେତା ଦରକାର । ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେଇ ଦେଖାଦେଉନଥିବା ନେତାଙ୍କୁ ଆଉ ଭରସି ପାରୁନାହାନ୍ତି ଭୋଟର । ଯେଉଁଥିପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ସ୍ଥାନରେ ନେତାଙ୍କୁ ଜନତାଙ୍କ ପ୍ରଶ୍ନବାଣର ଶିକାର ହେଉଥିବାର ଦେଖିବାକୁ ମିଳୁଛି । ଆଉ ଏହି ଟ୍ରେଣ୍ଡ ଗଣତନ୍ତ୍ର ପାଇଁ ନିଶ୍ଚୟ ଶୁଭସଙ୍କେତ ।