ପିପିଲିରେ ଜୋର ଧରିଛି ପ୍ରଚାର । ଭୋଟର  ପୁଣି ମନେ ପକାଇଦେଲେ ଫନି ଦୁର୍ଦ୍ଦଶାର କଥା, ପଚାରିଲେ କୁଆଡେ ଗଲା ବାତ୍ୟା ଟଙ୍କା । 

155

କନକ ବ୍ୟୁରୋ :  ପିପିଲି ଉପନିର୍ବାଚନ ପାଇଁ ଜୋର ଧରୁଛି ପ୍ରଚାର । ଘର ଘର  ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ ।   ୩ ପ୍ରମୁଖ ଦଳର ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ବିଜେଡି ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ନବୀନଙ୍କ ସ୍ୱଚ୍ଛ ଶାସନକୁ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଭୋଟରଙ୍କ ସାମ୍ନାକୁ ଆଣି ଭୋଟଭିକ୍ଷା କରିଛି । ଅନ୍ୟପଟେ କଂଗ୍ରେସ ଦରବୃଦ୍ଧି, ବେକାରୀ  ଓ ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଦଳ ସପକ୍ଷରେ ଭୋଟ କରିବାକୁ ଅପିଲ କରିଛି ।

ସେପଟେ ଫନି କ୍ଷୟକ୍ଷତିର ସହାୟତା ପାଇନଥିବା ନେଇ ଅଭିଯୋଗ ଆଣିଛନ୍ତି ୧୪ନମ୍ବର ୱାର୍ଡର କିଛି ବାସିନ୍ଦା । ସେମାନେ କହିଛନ୍ତି ଭୋଟ୍ ମାଗିବା ପାଇଁ ପ୍ରାର୍ଥୀ ଆସୁଛନ୍ତି, କିନ୍ତୁ ସେମାନଙ୍କ ଦୁର୍ଦ୍ଦଶା ଭୁଲିଯାଉଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ୫୦ ବର୍ଷ ହେବ ଏଠାରେ ୧୫ ପରିବାରକୁ ଥଇଥାନ କରାଯାଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ମିଳିପାରୁନାହିଁ । ଏପରିକି ଫୋନି ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିଲେ ମଧ୍ୟ କେବଳ ପଲିଥିନ୍ ଦେଇ କାମ ଚଳାଇ ଦେଇଛି ପ୍ରଶାସନ । ଘରଦ୍ୱାର ଭାଙ୍ଗି ଯାଇଥିଲେ ମଧ୍ୟ ଆହା ପଦେ କହିବାକୁ କେହି ନାହିଁ । ପ୍ରଶାସନ କୌଣସି ସହାୟତା ଦେଉନଥିବା ବେଳେ ନେତା କେବଳ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।