କନକ ବ୍ୟୁରୋ: ଅନଲାଇନରେ ମିଳିବ ଭୋଟର କାର୍ଡ । ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ ହେବ । ଏନେଇ ରବିବାର ଭାରତୀୟ ନିର୍ବାଚନ ଆୟୋଗ ସୂଚନା ଦେଇଛି ।
ସୋମବାର ଅର୍ଥାତ ଜାନୁଆରୀ ୨୫ ତାରିଖରେ ସାରା ଦେଶରେ ଜାତୀୟ ଭୋଟର ଦିବସ ପାଳନ ହେବ । ଏହିଦିନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ସ ଭର୍ସନ ଆରମ୍ଭ କରିବେ । ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରଥମେ କିଛି ଲୋକଙ୍କୁ ଡିଜିଟାଲ୍ ଭୋଟର କାର୍ଡ ବଣ୍ଟନ କରିବେ ।
ଯାହାଦ୍ୱାରା ଲୋକମାନେ ଏଣିକି ଡିଜିଟାଲ ମାଧ୍ୟମରେ ନିଜର ଭୋଟର କାର୍ଡ ପାଇପାରିବେ । ଏହାସହ ର-ଋଚଓଉ ଆପ୍ ଜରିଆରେ ଲୋକମାନେ ଏହାକୁ ଡାଉନଲୋଡ୍ କରି ରଖିପାରିବେ । ଏହି ଆପ୍ ଡିଜିଟାଲ୍ ଲକର ଭଳି କାମ କରିବ । ଏହାଦ୍ୱାରା ଏବେ ଭୋଟର କାର୍ଡକୁ ଆଉ ପୂର୍ବଭଳିି ପାଖରେ ଧରି ବୁଲିବାକୁ ପଡିବନି । ମୋବାଇଲ୍, କମ୍ପୁଟର ଭଳି ଡିଜିଟାଲ ମାଧ୍ୟମରେ ଏହାକୁ ସୁରକ୍ଷିତ ସହକାରେ ରଖାଯାଇପାରିବ । ତେବେ ଏଥିପାଇଁ ନିର୍ବାଚନ ଆୟୋଗରେ ଆପଣଙ୍କ ଫୋନ ରେଜଷ୍ଟ୍ରେସନ ହେବା ନିହାତି ଆବଶ୍ୟକ । ସୂଚନାଯୋଗ୍ୟ, ଏହାପୂର୍ବରୁ ଭାରତ ସରକାର ଆଧାର କାର୍ଡ, ପାନ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ପରିଚୟ ପତ୍ରର ଡିଜିଟାଲ ମୋଡ୍ କରିସାରିଛନ୍ତି ।