ଭୋଟ ଦେବେନି ବୋଲି ଭୋଟର କଲେଣି ପ୍ରଚାର: ଛିଡା ହୋଇଥିବା ପ୍ରାର୍ଥୀଙ୍କୁ କହିଲେ…

330

କନକ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ । ଆଉ ବିଭିନ୍ନ ଦଳ ମଧ୍ୟ ପ୍ରସ୍ତୁତ ହୋଇ ସାରିଲେଣି । ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ପୋଷ୍ଟର ମଧ୍ୟ ମରାସରିଲାଣି । ହେଲେ ଏହାରି ମଧ୍ୟରେ କିନ୍ତୁ ଭୋଟର ଜଣାଇଛନ୍ତି ନିଜ ଦାବି । ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବା ସହ ନିର୍ବାଚନରେ ଅଂଶଗ୍ରହଣ ନକରିବାକୁ ଦାବି ଜଣାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେଓଗଡ ଜିଲ୍ଲା ତିଲେଇବଣୀ ବ୍ଲକରେ ।

ନେଟୱାର୍କ ସମସ୍ୟା ନେଇ ଦେଓଗଡ ତିଲେଇବଣୀ ବ୍ଲକର ଅପହଂଚ ଇଲାକା ଭାବେ ପରିଚିତ ୬ଟି ପଂଚାୟତ । ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରୀ କଲା ପରେ ମଧ୍ୟ କୌଣସି ସମାଧାନ ନବାହାରିବାରୁ ଅଂଚଳବାସୀ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏକଦା ମାଓବାଦୀଙ୍କ ଚରାଭୂଇଁ ଭାବେ ପରିଚିତ ତିଲେଇବଣୀ ବ୍ଲକର ଆଦିବାସୀ ଅଧ୍ୟୁଷିତ ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା, ପାରପୋଷି, ଝାରମୁଣ୍ଡା ଓ ଲଇମୁରା ପଂଚାୟତ ଅଂଚଳରେ ମୋବାଇଲ ନେଟୱାର୍କ ଟାୱାର ସ୍ଥାପନ ପାଇଁ ବାରମ୍ବାର ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର ସାସଂଦ ନିତେଶ ଗଙ୍ଗଦେବ ତଥା ଜିଲ୍ଲାପାଳଙ୍କ ନିକଟରେ ଦାବି କଲାପରେ ମଧ୍ୟ ସେମାନଙ୍କୁ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳୁନାହିଁ । ଫଳରେ ଅଂଚଳବାସୀ ନିରାଶ ହୋଇପଡିବା ପରେ ଏ ନେଇ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏ ସମସ୍ୟା ସମାଧାନ କରା ନ ଗଲେ ଅଂଚଳବାସୀ ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ଦାବୀ କରିବା ସହିତ ଲିଖିତ ଚେତାବନୀ ଦେଇଥିଲେ ।

ମାତ୍ର ସେମାନଙ୍କ ଦାବି ପୂରଣ ନହେବାରୁ ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା ଓ ପାରପୋଷି ପଂଚାୟତର ଜନସାଧାରଣ ଗତକାଲି ଝରାଗୋଗୁଆ ବଜାର ପ୍ରାଙ୍ଗଣରେ ଏକତ୍ରୀତ ହୋଇ ପୂର୍ବ ଘୋଷଣା ଅନୁଯାୟୀ ଭୋଟ ବର୍ଜନ କରିବାକୁ ନିଷ୍ପତି ନେବା ସହ ଆଜିଠାରୁ ଆରମ୍ଭ ହେବାକୁ ଥିବା ମନୋନୟନପତ୍ର ଦାଖଲ ପକ୍ରିୟାରୁ ବିରତ ରହିବାକୁ ନିଷ୍ପତି ନେଇଥିଲେ । ଏଥି ସହ ଗ୍ରାମବାସୀଙ୍କ ବୈଠକ ନିଷ୍ପତିକୁ ଅମାନ୍ୟ କରି କୌଣସି ବ୍ୟକ୍ତି ନାମାଙ୍କନ ଦାଖଲ କଲେ ତାଙ୍କୁ ପଂଚାୟତ ବିରୋଧି ବିବେଚନା କରାଯିବ ବୋଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ସଂପୃକ୍ତ ଅଂଚଳରେ ପ୍ରଚାର କରାଯାଇଛି । ଫଳରେ ତିଲେଇବଣୀ ବ୍ଲକର ଉପରୋକ୍ତ ପଂଚାୟତ ଗୁଡିକରେ ପଂଚାୟତ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ ପାଇଛି ।