ବିଜୟୀ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ : ଗୁଜରାଟରେ ଅଧିକ, ଉତ୍ତର ପ୍ରଦେଶରେ କମ୍

192

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସି. ଆର୍. ପାଟିଲ ବିଜୟଲାଭ କରିଛନ୍ତି। ସେ ଗୁଜରାଟର ନବସାରି ଆସନରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬ ଲକ୍ଷ ୮୯ ହଜାର ଭୋଟରେ ପରାଜିତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଶରେ ଅନୁଷ୍ଠିତ ସମସ୍ତ ନିର୍ବାଚନରେ ପାଟିଲଙ୍କ ବିଜୟ ବ୍ୟବଧାନ ଦ୍ୱିତୀୟ ସର୍ବାଧିକ। ପୂର୍ବରୁ ୨୦୧୪ ଉପ ନିର୍ବାଚନରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗୋପିନାଥ ମୁଣ୍ଡେଙ୍କ ମୃତ୍ୟୁ ପରେ ୨୦୧୪ ଅକ୍ଟୋବରରେ ମହାରାଷ୍ଟ୍ରର ବିଦ୍ ଆସନରେ ଉପନିର୍ବାଚନ ହୋଇଥିଲା। ଏଥିରେ ସ୍ବର୍ଗତ ମୁଣ୍ଡେଙ୍କ ଝିଅ ପ୍ରୀତମ ମୁଣ୍ଡେ ବିଜେପିର ପ୍ରାର୍ଥୀ ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬ ଲକ୍ଷ ୯୬ ହଜାର ଭୋଟରେ ପରାଜିତ କରିଥିଲେ। ଏହା ଥିଲା ସର୍ବକାଳୀନ ରେକର୍ଡ ବିଜୟ ବ୍ୟବଧାନ।

କେବଳ ପାଟିଲ ନୁହଁନ୍ତି, ବିଜେପିର ସୁବାସ ଚନ୍ଦ୍ର ବାହେରିଆ, ସଞ୍ଜୟ ଭାଟିଆ ଏବଂ କ୍ରିଷନ ପାଲ ୬ ଲକ୍ଷ ଅଧିକ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି। ହରିୟାଣାର କର୍ଣ୍ଣଲ ଆସନରୁ ସଞ୍ଜୟ ଭାଟିଆ ୬ ଲକ୍ଷ ୫୬ ହଜାର, ଫରିଦାବାଦ ଆସନରୁ କ୍ରିଷନ ପାଲ ୬ ଲକ୍ଷ ୩୮ ହଜାର ଏବଂ ରାଜସ୍ଥାନର ଭିଲୱାରା ଆସନରୁ ସୁବାସ ଚନ୍ଦ୍ର ବାଘେରିଆ ୬ ଲକ୍ଷ ୧୨ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ଏତଦବ୍ୟତୀତ ପ୍ରାୟ ଏକ ଡଜନ ପ୍ରାର୍ଥୀ ଚଳିତ ନିର୍ବାଚନରେ ୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ତାଙ୍କ ପ୍ରତିଯୋଗୀ ତଥା ଏସପି ପ୍ରାର୍ଥୀ ଶାଳିନୀ ଯାଦବଙ୍କୁ ୪ ଲକ୍ଷ ୭୯ ହଜାର ଭୋଟରେ ପରାସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ନିର୍ବାଚନରେ ଆପ୍ର ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଲକ୍ଷ ୭୧ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ। ବିଜେପି ସଭାପତି ଅମିତ ଶାହ ଗାନ୍ଧୀନଗର ଆସନରୁ ପ୍ରଥମ ଥର ପାଇଁ ଲୋକସଭାକୁ ୫ ଲକ୍ଷ ୫୭ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ଏହି ଆସନରୁ ୨୦୧୪ରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ୪ ଲକ୍ଷ ୮୩ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ।

ଉତ୍ତର ପ୍ରଦେଶରେ ବିଜେପି ଏବଂ ମହାମେଣ୍ଟ ମଧ୍ୟରେ ଅନେକ ଆସନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଛି। ଏଠାରେ ବିଜେପି ଯଦିଓ ୬୨ଟି ଆସନରେ ବିଜୟୀ ହେବାରେ ସଫଳ ହୋଇଛି ଏଥିରୁ ୧୬ଟି ଆସନରେ ଦଳର ଜୟ ପରାଜୟ ୫୦ ହଜାରରୁ କମ ଭୋଟରେ ନିର୍ଣ୍ଣୟ ହୋଇଛି। ଉତ୍ତର ପ୍ରଦେଶର ୮୦ଟି ଆସନରୁ ବିଜେପି ୬୨ଟି, ଅପନା ଦଳ ୨ଟି, ବିଏସପି ୧୦ଟି, ଏସପି ୫ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ପ୍ରଥମେ ୧୦୦୦ ଭୋଟରୁ କମ୍ ବ୍ୟବଧାନରେ ଜୟ ପରାଜୟ ମଛଲି ସହର ଆସନରେ ଦେଖିବାକୁ ମିଳିଛି। ଏଠାରେ ବିଜେପିର ବି ପି ସରୋଜ ବିଏସ୍ପିର, କେ.ଟି ରାମଙ୍କୁ ମାତ୍ର ୧୮୧ ଭୋଟରେ ପରାଜିତ କରିଛନ୍ତି। ସେହିଭଳି ୩ଟି ଆସନ ରହିଛି ଯେଉଁଠି ଜୟ ପରାଜୟର ନିର୍ଣ୍ଣୟ ୧୦ ହଜାରରୁ କମ୍ ଭୋଟରେ ହୋଇଛି। ମିରଟ ଆସନରେ ବିଜେପିର ରାଜେନ୍ଦ୍ର ଅଗ୍ରୱାଲା ବିଏସପିର ୟାକୁବ କ୍ୟୁରେସିଙ୍କୁ ୪୭୨୯ ଭୋଟରେ ପରାଜିତ କରିଛନ୍ତି। ମୁଜାଫରନଗରରେ ବିଜେପିର ସଂଜୀବ ବଲିୟାନ ରାଷ୍ଟ୍ରୀୟ ଲୋକଦଳର ଚୌଧୁରୀ ଅଜିତ ସିଂହଙ୍କୁ ୬୫୨୬ ଭୋଟରେ ପରାଜିତ କରିଛନ୍ତି।

ଏତଦବ୍ୟତୀତ ୧୨ଟି ଆସନରେ ପ୍ରାର୍ଥୀଙ୍କ ଜୟ ପରାଜୟ ୫୦ ହଜାରରୁ କମ୍ ଭୋଟରେ ନିର୍ଣ୍ଣୟ ହୋଇଛି। ଏଥିରେ କନୌଜ, ସୁଲତାନପୁର, ଚନ୍ଦୌଲି, ବଲିୟା, ବଦାୟୁଁ, ସହରାନପୁର, ଫିରୋଜାବାଦ, ବାଗପତ ଭଳି ଆସନ ରହିଛି। କନୌଜରେ ବିଜେପିର ସୁବ୍ରତ ପାଠକ, ସପାର ଡିମ୍ପଲ ଯାଦବଙ୍କୁ ୧୧୪୧୬ ଭୋଟରେ ହରାଇଛନ୍ତି। ସୁଲତାନପୁରରେ ବିଜେପିର ମେନକା ଗାନ୍ଧୀ ସପାର ଚନ୍ଦ୍ର ଭଦ୍ର ସିଂହଙ୍କୁ ୧୩୨୬୦ ଭୋଟରେ ପରାଜିତ କରିଛନ୍ତି।