ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରଶିକ୍ଷଣ । ମେ’ ୨୩ରେ ଆସିବ ୨୦୧୯ ନିର୍ବାଚନରେ ଲଢୁଥିବା ନେତାଙ୍କ ପରୀକ୍ଷା ଫଳ

150

କନକ ବ୍ୟୁରୋ: ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ତାଲିମ ଶିବିର । ଆସନ୍ତା ୨୩ ତାରିଖରେ ଆସିବ ୨୦୧୯ ନିର୍ବାଚନରେ ଲଢୁଥିବା ନେତାଙ୍କ ପରୀକ୍ଷା ଫଳ । ସେହି ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ଶିବିର କରାଯାଇଛି । ସୁନ୍ଦରଗଡ ସ୍ଥାନୀୟ ପ୍ରଗତି ମଣ୍ଡପ ପରିସରରେ ଏକ ତାଲିମ ଶିବିରରେ ସୁନ୍ଦରଗଡ ସଦର ଓ ତଲସରା ବିଧାନସଭା ଆସନ ପାଇଁ ମାଷ୍ଟର ଟ୍ରେନର ଭାବେ ସଦର ଉପଜିଲ୍ଲାପାଳ ଡୋଲାମଣି ପଟେଲ, ପିଡି ଡିଆରଡିଏ ଭୁମେଶ ବେହେରା ତାଲିମ ଦେଇଛନ୍ତି । ସେହିଭଳି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବାଲିଶଙ୍କରା ବିଡିଓ ଅଭିମନ୍ୟୁ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଭାଷ୍କର ଚନ୍ଦ୍ର ତୁରୁକ ଅନ୍ୟ ନିର୍ବଚନ କର୍ମଚାରୀମାନଙ୍କୁ ତାଲିମ ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଥିଓରି ତାଲିମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଇଭିଏମ ଓ ଭିଭିପାଟର ପ୍ରାକ୍ଟିକାଲ ତାଲିମ ଦିଆଯାଇଥିଲା । ସେହିଭଳି କୋରାପୁଟରେ ମଧ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣନା କାମରେ ନିୟୋଜିତ ହୋଇଥିବା ସୁଭରଭାଇଜର ଓ ସହାୟକମାନଙ୍କୁ ସ୍ଥାନୀୟ ସରକାରୀ ହାଇସ୍କୁଲ ଠାରେ ତାଲିମ୍ ଦିଆଯାଇଛି । ମାଷ୍ଟର ଟ୍ରେନର ବରିଷ୍ଠ ପ୍ରଶାସକ ସୁଜାତା ମିଶ୍ର ଜିଲ୍ଲାର ତହସିଲଦାର ଓ ବିଡିଓମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । କୋରାପୁଟ ଜିଲ୍ଲାପାଳ, ଏଡିଏମ ଏବଂ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳ ଉପସ୍ଥିତ ଥିଲେ । କୋରାପୁଟ, ଲକ୍ଷ୍ମିପୁର, ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ ପାଇଁ କୋରାପୁଟ ସରକାରୀ କଲେଜ ଏବଂ ଜୟପୁର ଓ କୋଟପାଡ ନିର୍ବାଚନ ମଣ୍ଡଳୀ ନିମନ୍ତେ ଜୟପୁର ବିକ୍ରମଦେବ କଲେଜ ଠାରେ ଭୋଟ୍ ଗଣନା କାର୍ଯ୍ୟକ୍ରମ କରାଯିବ ।