ଭୋଟ୍ ଗଣତି ପାଇଁ ଚାଲିଛି ପ୍ରସ୍ତୁତି । ଡିଜି କହିଲେ ୬୨ଟି ସ୍ଥାନରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା ।

122

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଓଡିଶାରେ ଶେଷ ହୋଇସାରିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଆଉ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, କାହା ସପକ୍ଷରେ ଯାଉଛି ଜନମତ । ଏହା ପୂର୍ବରୁ ରାଜ୍ୟର ୬୨ଟି ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଶନିବାର ଏହି ସୂଚନା ଦେଇଛନ୍ତି । ଭୋଟ ଗଣତି ବେଳେ କେନ୍ଦ୍ରରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ, ଓଏସଏପି ସଜାଗ ରହିବେ ।

ଏପିଆର, ଓଏପିଏଫ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ଭୋଟ ଗଣତି ବେଳେ ଯେପରି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ପୁଲିସ ଅଧିକାରୀ ଶର୍ମା କହିଛନ୍ତି, ଏସପି, ଡିଏସପି, ଡିଆଇଜି, ଡିସିପିଙ୍କ ସହ କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ । ନକ୍ସଲ ପ୍ରବଣ ଅଂଚଳରେ ଥିବା ଗଣତି କେନ୍ଦ୍ରରେ ଏସଓଜି ଯବାନ ସଜାଗ ରହିବେ । ଗଣତି କେନ୍ଦ୍ର ବାହାରେ ଓ ଭିତରେ ସିସିଟିଭି ବ୍ୟବସ୍ଥା କରାଯିବା ବୋଲି ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବର୍ତ୍ତମାନ ଷ୍ଟ୍ରଙ୍ଗ ରୁମରେ ୬୯ କମ୍ପାନି ସିଏପିଏଫ ମୁତୟନ କରାଯାଇଛି । ଅତିରିକ୍ତ ୧୨ ସିଏପିଏଫ କମ୍ପାନି ମୁତୟନ ହେବେ ।