କନକ ବ୍ୟୁରୋ : ଆଜିଠୁ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ୩ଦିନ ଧରି ହେବ ଭୋଟ୍ ଗଣତି । ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୧ଲକ୍ଷ ୫ହଜାର ୭୫୩ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ । ୩୨,୮୬୦ ସରପଞ୍ଚ ପ୍ରାର୍ଥୀଙ୍କ ଭିତରୁ କାହାକୁ ବାଛିବେ ଜନତା ?

Advertisment

ଭୋଟ୍‌ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିଯାଇଛି । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି, କାହାକୁ ପର କରୁଛନ୍ତି ତାହାକୁ ଦେଖିବାକୁ ସାରା ଓଡ଼ିଶାବାସୀ ଚାତକ ଭଳି ଚାହିଁ ବସିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳ ଆଜିଠାରୁ ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବାକୁ ଥିବାବେଳେ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ପରିଷଦ ଜୋନ୍‌ ଅନୁଯାୟୀ ଭୋଟ୍ ଗଣତି ହେବାକୁ ଥିବାରୁ ୨୬ତାରିଖରେ ୩୧୫ଟି ଜିଲ୍ଲା ପରିଷଦ ଜୋନ, ୨୭ରେ ୩୦୭ଟି ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି ।

ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି । ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ । ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୮୯୦ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ ।

ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ପର‌ିଷଦ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣତି ହେବ । ପ୍ରତି ଜୋନ୍‌ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ବିନା ବିରତିରେ ଗଣନା ହେବ । ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ ।

କେଉଁ ଟିମ୍‌ କେଉଁ ଟେବୁଲରେ ବସିବେ ସେ ନେଇ ଗୁଳା ପଡ଼ିବ । ଜଣେ ପ୍ରାର୍ଥୀଙ୍କର ଜଣେ ଏଜେଣ୍ଟ ରହିବେ । ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ଭୋଟ୍ ପାଇଁ ରହିବ । ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଯେଉଁଠି ଭୋଟ୍‌ ଗଣତି ହେବ ସେଠାରେ ନୋଟା ଭୋଟ୍‌ ପାଇଁ ଏକ ଟ୍ରେ ରହିବ । ଏହାପରେ ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ ।

ଭୋଟ୍‌ ଗଣତି କେନ୍ଦ୍ରକୁ ପ୍ରବେଶ କ‌ଲାବେଳେ ପ୍ରାର୍ଥୀଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ । ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ । ଭୋଟ୍‌ ଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟ୍‌ ଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ।