ମତଦାନ ପାଇଁ ସଚେତନତା : ଦୂତୀ ଚାନ୍ଦଙ୍କ ସମେତ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଆଇକନ୍’ ଭାବେ ମନୋନୀତ
ଦିବ୍ୟାଙ୍ଗ ଭୋଟରଙ୍କୁ ଗାଡ଼ିରେ ଘରୁ ଆଣି ଛାଡ଼ିବ ଜିଲ୍ଲା ପ୍ରଶାସନ
କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ସଚେତନତା ଓ ନୂଆ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରାଇବା ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସମେତ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ‘ଆଇକନ୍’ ଭାବେ ମନୋନୀତ କରିଛନ୍ତି। ସେମାନଙ୍କ ନାମ ଅନୁମୋଦନ ପାଇଁ ନିର୍ବାଚନ କମିସନଙ୍କ ନିକଟକୁ ପଠାଯାଇଛି। ଅନ୍ୟ ୪ଜଣ ଆଇକନ୍ମାନେ ହେଉଛନ୍ତି ପାରା ଆଥଲେଟ୍ ଜୟନ୍ତୀ ବେହେରା, ପାରା ବ୍ୟାଡ୍ମିଣ୍ଟନ ପ୍ରମୋଦ ଭଗତ୍, ଋତୁରାଜ ମହାନ୍ତି, ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଓ ଅଭିନେତା ସ୍ବରାଜ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସୁଇପ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମନୋନୀତ ଆଇକନ୍ମାନଙ୍କୁ ବିଭିନ୍ନ ପ୍ରକାର ଭୋଟର ସଚେତନତା କାର୍ୟ୍ୟକ୍ରମରେ ନିୟୋଜିତ କରାଯିବା ସହ ନୂଆ ତଥା ଯୁବ ଭୋଟରମାନଙ୍କୁ ମତଦାନ ଆଡ଼କୁ ଆକୃଷ୍ଟ କରି ଗଣତନ୍ତ୍ରକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ କୁମାର କହିଥିଲେ। ସେହିପରି ଦିବ୍ୟାଙ୍ଗ ଭୋଟରଙ୍କ ସୁଗମ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ। ସେମାନଙ୍କୁ ନିଜ ଘରୁ ଭୋଟଗ୍ରହଣ କେନ୍ଦ୍ରକୁ ଆଣି ମତଦାନ ସରିବା ପରେ ପୁଣି ଘରେ ଛାଡ଼ିବା ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ଗାଡ଼ି ଯୋଗାଇଦେବାକୁ ସେ କହିଥିଲେ।
ରାଜ୍ୟରେ ୨୯୦୮ଟି ବିଦ୍ୟାଳୟ ଓ ୬୬୫ଟି ମହାବିଦ୍ୟାଳୟରେ ସୁଇପ୍ କମିଟିମାନ ଗଠିତ କରାଯାଇ ସଚେତନତା କାର୍ୟ୍ୟକ୍ରମ ଜାରି ରହିଛି। ଅନୁରୂପ ଭାବେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସୁଇପ୍ କମିଟିମାନ ଗଠନ କରାଯାଇଛି। ବିଭିନ୍ନ ବୁଥ୍ରେ ନିର୍ବାଚନ ପାଠଶାଳା ଗଠନ କରି ଭୋଟରମାନଙ୍କୁ ଇଭିଏମ୍ ସହ ଭିଭିପାଟ୍ ଯନ୍ତ୍ର ସାହାଯ୍ୟରେ ମତଦାନ ସଂପର୍କରେ ସଚେତନ କରାଯାଉଛି। ସେହିପରି ମତଦାନ ପ୍ରତି ସଚେତନତା ସୃଷ୍ଟି ନିମନ୍ତେ ରେଡିଓ ଓ ଦୂରଦର୍ଶନରେ ଦେଶିଆ, ସମ୍ବଲପୁରୀ ଓ ସାନ୍ତାଳୀ ଭାଷାରେ ଜିଙ୍ଗଲ୍ସ ଓ ସ୍ପଟ୍ ତିଆରି, ଓଡ଼ିଶା ଦେଇ ଯାତାୟାତ କରୁଥିବା ଟ୍ରେନଗୁଡ଼ିକ ଓ ଫ୍ଲାଟଫର୍ମରେ ଷ୍ଟିକର ଓ ହୋର୍ଡିଂ ଲଗାଯିବା ଓ ଆଞ୍ଚଳିକ ଭାଷାରେ ଲୋକନୃତ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରାଯିବ।