Advertisment

କନକ ବ୍ୟୁରୋ : ମୌଳିକ ସୁବିଧାରୁ ବଞ୍ଚିତ ପାଲଲହଡ଼ା ବ୍ଲକର ଦୁର୍ଗମ ଅଞ୍ଚଳ ବରଡ଼ିହ ପଞ୍ଚାୟତର ସଲେଇ ଗାଁର ଲୋକେ । ଆଦିବାସୀ ଭୂୟାଁ ସମ୍ପ୍ରଦାୟର ଲୋକଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବିକାଶର ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟାକୁ ନେଇ କାଳ କାଟୁଛନ୍ତି ଗ୍ରାମବାସୀ ।

ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୁଳ ପାଲଲହଡ଼ା ବ୍ଲକ ସଲେଇ ଗାଁର ବାସିନ୍ଦା । ସ୍ୱାଧୀନତାର ୭ ଦଶକ ପରେ ବି ଗାଁକୁ ରାସ୍ତା ନାହିଁ କି ବିଜୁଳୀ ନାହିଁ । ପାନୀୟ ଜଳ ସମସ୍ୟା କଥା ନକହିବା ଭଲ । ପଞ୍ଚାୟତ ନିର୍ବାଚନ ପାଇଁ ନେତା ମାନେ ଏବେ ଭୋଟରଙ୍କ ଦ୍ୱାରସ୍ଥ ହେଉଥିବାରୁ ଦଉଡ଼ିରେ ତାର ଟାଣି, ଟିଣ ଟ୍ରନ୍ସଫର୍ମର ଲଗାଇ ନେତାଙ୍କୁ କଟାକ୍ଷ କରିଛନ୍ତି ଭୋଟର । ତେଣୁ ସମସ୍ୟାର ସମାଧାନ ନହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଗାଁରେ ପାଖାପାଖି ୬୦୦ ଜନସାଧାରଣ ବସବାସ କରନ୍ତି । ପାନୀୟ ଜଳ, ରାସ୍ତା ସମସ୍ୟା ଓ ବିଦ୍ୟୁତ୍ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗାଁ ଲୋକଙ୍କୁ ଖାଲି ମିଳିଛି ପ୍ରତିଶ୍ରୁତି । ହେଲେ ଫଳ ଶୁନ୍ ।

ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଝରଣାରୁ ଗୋଳିଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ଲୋକେ । ବିଜୁଳୀ ସୁବିଧା ନଥିବାରୁ ଛାତ୍ର ଛାତ୍ରୀ ମାନେ ଡ଼ିବିରି ଆଲୁଅରେ ପାଠପଢୁଛନ୍ତି । ସେହିଭଳି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା କଥା ନକହିବା ଭଲ । ନେଟୱାର୍କ ପାଇଁ ପାହାଡ଼ ଓ ଜଙ୍ଗଲକୁ ଯାଇ ପାଠପଢନ୍ତି ଛାତ୍ରଛାତ୍ରୀ । ସେହିପରି ଭଲ ରାସ୍ତାଟିଏ ନଥିବାରୁ ପାହାଡ଼ ଜଙ୍ଗଲ ରାସ୍ତାରେ ଲୋକେ ଯାତାୟତ କରନ୍ତି । ଏବେ ନିର୍ବାଚନ ଆସିଛି । ନେତା ମାନେ ଗାଁ ମୁହାଁ ହେଉଛନ୍ତି । ଗାଁରେ ପାଖାପାଖି ୨୯୦ ଜଣ ଭୋଟର ରହିଛନ୍ତି । ତେଣୁ ମୌଳିକ ସୁବିଧା ଯୋଗାଇନଦେଲେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।