କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଭୋଟ୍ ବର୍ଜନ ଚିତ୍ର । ଗାଁରେ ଥିବା ସମସ୍ୟା ସମାଧାନ ହେଉନଥିବାରୁ ଲୋକେ ଭୋଟ ଦେଇ ନାହାନ୍ତି । ବର୍ଷ ବର୍ଷ ଧରି ଅଭାବ ଅସୁବିଧାରେ ଘାଣ୍ଟି ହେଉଥିବାରୁ ଗଣତନ୍ତ୍ରର ଏହି ମହାନ ପର୍ବରୁ ଦୂରେଇ ରହିଲେ ଭୋଟର ।

Advertisment

ରାସ୍ତା ନାହିଁ ତ ଭୋଟ୍ ନାହିଁ । ଏଭଳି ନାରା ଦେଇ ଭୋଟ ବର୍ଜନ କରିଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ ବାମ୍ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗ୍ରାମବାସୀ । ଗାଁରେ ମୋଟ ୩୩୬ ଭୋଟର ଥିବା ବେଳେ ଜଣେ ବି ଭୋଟ ଦେଇନାହାନ୍ତି । ପାହାଡ ପର୍ବତ ଘେରା ଅପହଞ୍ଚ ଅଞ୍ଚଳରେ ବାସ କରୁଥିବା ଗ୍ରାମବାସୀ ଆଜି ବି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ରାସ୍ତା ନାହିଁ, ଶିକ୍ଷା ସ୍ୱାସ୍ଥ୍ୟ ସେବା ପାଇଁ ବହୁ ହିନସ୍ତା ହେବାକୁ ପଡୁଛି । ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ସମସ୍ତେ ଏକଥା ଜାଣି ବି ସମାଧାନ କରୁନାହାନ୍ତି, ତେଣୁ ଗ୍ରାମବାସୀ ଗଣତନ୍ତ୍ରର ଏହି ମହାପର୍ବରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତି ନେଇଛନ୍ତି ।

ମତଦାନ କେନ୍ଦ୍ରକୁ ଗଲେ ନାହିଁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ୩ଟି ଗାଁର ଲୋକେ । ରାସ୍ତା, ପାଣି ସମସ୍ୟା ପାଇଁ ଭୋଟ୍ ବର୍ଜନ କରିଛନ୍ତି ଝାପ୍ରାପଦର, ତେନ୍ତୁଳିଗୁଡ଼ା, ସଲପଗୁଡ଼ା ଅଞ୍ଚଳବାସୀ । ରାସ୍ତା ନାହିଁ ତ ଭୋଟ ନାହିଁ, ପାଣି ଦିଅ ଭୋଟ ନିଅ ବୋଲି ଆହ୍ୱାନ ଦେଇ ଭୋଟ ଗ୍ରହଣ ପକ୍ରିୟାରୁ ନିଜକୁ ଦୂରେଇ ରଖିଲେ ଗ୍ରାମବାସୀ ।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଙ୍ଗୁମାଝିଗୁଡା ଗାଁରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ୨୦୨ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ଏଠାରେ ୱାର୍ଡ ସଭ୍ୟ ପଦ ପାଇଁ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ କରାଯାଇଥିବାରୁ ଏହାକୁ ବିରୋଧ କରି ଭୋଟ ଦେଇନାହାନ୍ତି ଲୋକେ । ତେବେ ଏଠାରେ କୌଣସି ଅନୁସୂଚିତ ଜନଜାତି ବର୍ଗର ଭୋଟର ନଥିବା ବେଳେ କିଭଳି ଏହି ଆସନକୁ ସେହି ବର୍ଗର କରାଗଲା ବୋଲି ଭୋଟର ପ୍ରଶ୍ନ କରିଛନ୍ତି ।

ବୁଥ ସ୍ଥାନାନ୍ତର ପ୍ରତିବାଦରେ ଭୋଟ ବର୍ଜନ । ରାୟଗଡା ଜିଲ୍ଲାର କୋଲନରା ବ୍ଲକର ସୁରୀ ପଞ୍ଚାୟତରେ ବୁଥ ସ୍ଥାନାନ୍ତରକୁ ବିରୋଧ କରି ଭୋଟ ବର୍ଜନ କରିଛନ୍ତି କମ୍ବୁଗୁଡା ଗ୍ରାମବାସୀ । ତେବେ ପୂର୍ବରୁ କୁମୁଗୁଡାରେ ଅସ୍ଥାୟୀ ବୁଥ୍ କରାଯାଇ ଭୋଟ ଗ୍ରହଣ କରାଯାଉଥିଲା, କିନ୍ତୁ ଏଥର ବୁଥକୁ ମୋଉଡିଗୁଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଆଉ ଯାହାକୁ ବିରୋଧ କରି ଭୋଟ ଦେଇନାହାନ୍ତି ଗ୍ରାମବାସୀ ।