କନକ ବ୍ୟୁରୋ : ଦିନକ ପରେ ଶେଷ ପର୍ଯ୍ୟାୟ ଭୋଟ୍ । କୋରାପୁଟ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଲମ୍ପତାପୁଟ ଓ ବୈପାରିଗୁଡ଼ା ବ୍ଳକରେ ୪ଟି ଜିଲ୍ଳାପରିଷଦ ପ୍ରାର୍ଥୀ ଓ ୩୫ଟି ପଞ୍ଚାୟତରେ ମତଦାନ ହେବ । ଏଥର ଭଳି ପୂର୍ବରୁ ମଧ୍ୟ ନିର୍ବାଚନ ହେଉଛି, ରାଜନେତାଙ୍କ ଠାରୁ ପ୍ରଶାସନ ଅଧିକାରୀ ସମସ୍ତେ ଗାଁକୁ ଆସୁଛନ୍ତି, ହେଲେ କେହି ଗାଁ ଲୋକଙ୍କ ସମସ୍ୟା ବୁଝୁନାହାନ୍ତି, କି ସମସ୍ୟାର ଅନ୍ତ ଘଟୁ ନାହିଁ । ତେଣୁ ଏଥର ଭୋଟ୍ ଦେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ୧୦ଟି ଗାଁର ଲୋକେ ।

Advertisment

କିଏ କହୁଛି ରାସ୍ତା ନାହିଁ ତ ଭୋଟ୍ ନାହିଁ । ଆଉ କିଏ କହୁଛି ଆଲୁଅ ନାହିଁ ତ ଭୋଟ୍ ନାହିଁ । ଗାଁ ମୁଣ୍ଡରେ ପୋଷ୍ଟର ମାରି, ଘର କାନ୍ଥରେ ଦାବି ଲେଖି, ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଗ୍ରାମବାସୀ । ଏମିତି ଅନେକ ଦାବି ରଖି ଭୋଟ୍ ବର୍ଜନ ନିଷ୍ପତି ନେଇଛନ୍ତି ମାଓପ୍ରବଣ ବୈପାରିଗୁଡ଼ା ବ୍ଳକର ଜି-ମାଝିଗୁଡ଼ା ପଞ୍ଚାୟତର ୧୦ଟି ଗାଁର ଲୋକେ । ବଡ଼ ବାଙ୍କୁଲି, ସାନ ବାଙ୍କୁଲି, ଲଖଣପୁର, ଗୁଣ୍ଡରିପଡ଼ା, ଡ଼ୁଡ଼ୁମାଗୁଡ଼ା, ଲିମାଯୋଡ଼ି, ପଣ୍ଡିତବେଡ଼ା, ଅଣ୍ଡରି, ବାଲିଭଟ୍ଟା ଓ ଯୋଡ଼ିଧରା ଗ୍ରାମବାସୀ ଭୋଟ୍ ବର୍ଜର୍ନ ଚେତାବନୀ ଦେଇଛନ୍ତି ।

ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଭାଗ୍ୟକୁ ଆଦରି ରହିଛନ୍ତି ଗ୍ରାମବାସୀ । ବିଜୁଳି ଠାରୁ ଦୂରରେ ଥିବା ଗ୍ରାମବାସୀ ସଞ୍ଜ ନଇଁଲେ ଅନ୍ଧାରୀ ଜୀବନ ବିତାଉଛନ୍ତି । ଉତ୍କଟ ପାନୀୟ ଜଳ ସଙ୍କଟ ସାଙ୍ଗକୁ ରାସ୍ତାଘାଟର ଅସୁବିଧା । ଗାଁ ସମସ୍ୟା ନେଇ ଅନେକ ଥର ସ୍ଥାନୀୟ ରାଜନେତା ଓ ଅଧିକାରୀଙ୍କୁ ଜଣାଇଛନ୍ତି ଗ୍ରାମବାସୀ । ହେଲେ କେହି କେବେ ଶୁଣିନାହାନ୍ତି, ତେଣୁ ଭୋଟ ବର୍ଜନ କରି ନିଜ ସମସ୍ୟା ନିଜେ ସମାଧାନ କରିବେ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ଭୋଟର । ଦୁର୍ଗମ ଗାଁର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି, ହେଲେ ସେଗୁଡିକ କିଭଳି କାମ କରୁଛି ତା’ର ଅସଲ ଚିତ୍ର ଗାଁ ଲୋକଙ୍କ ଏହି ଭୋଟ ବର୍ଜନ ନିଷ୍ପତିରୁ ଜଣାପଡୁଛି ।