ଭୋଟ୍ ନଦେଇ ପ୍ରତିବାଦ କଲେ ଭୋଟର ! ସ୍ୱାଭିମାନ୍ ଅଞ୍ଚଳରେ ଜିରୋ ଭୋଟ୍, ମତଦାନ ପାଇଁ ଆସିଲେନି ୮ ଖଣ୍ଡ ଗାଁ ଲୋକେ ।

677

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଭୋଟ୍ ବର୍ଜନ । ଭୋଟ୍ ଦେବାକୁ ଆସିଲେନି ୮ଟି ଗାଁର ଲୋକ । ଜିରୋ ଭୋଟ୍ ପରେ ଖାଲି ଇଭିଏମ୍ ଧରି ଫେରିଲେ ୯ଟି ପୁଲିଂ ବୁଥର କର୍ମଚାରୀ । କଳାହାଣ୍ଡିର ନନ୍ଦାହାଣ୍ଡି ବ୍ଲକର ଗୋଟିଏ ଗାଁରେ ବିକାଶ ପହଁଚିନଥିବାରୁ ଭୋଟ୍ ବର୍ଜନ କରିଛନ୍ତି ଗ୍ରାମବାସୀ । ସମାନ ଚିତ୍ର ଆସିଛି ଚିତ୍ରକୋଣ୍ଡା ଗାଜଲମାମୁଡିରୁ । ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ, ରାଜ୍ୟରେ ବିଭିନ୍ନ ସମସ୍ୟାରେ ଘାଂଟି ହେଉଥିବା ଭୋଟର, ଭୋଟ୍ ବର୍ଜନ କରିଥିବା ଘଟଣା ସାମ୍ନାକୁ ଆସିଛି ।

ସ୍ୱାଭିମାନ ଅଂଚଳରେ ଜିରୋ ଭୋଟ୍ । ମତଦାନ ପାଇଁ ଆସିଲେନି ୮ ଖଣ୍ଡ ଗାଁ ଲୋକ । ୯ଟି ବୁଥରେ ପଡିଲାନି ଖଣ୍ଡିଏ ବି ଭୋଟ୍ । ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏପରି ଜିରୋ ଭୋଟ୍ ର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । କୁନ୍ତୁରୁପଦର ପୁଲିସ କ୍ୟାମ୍ପ ସେଂଟରରେ ହୋଇଥିବା ୯ଟି ପୁଲିଂ ବୁଥରେ ଗୋଟିଏ ବି ଭୋଟ୍ ପଡିନାହିଁ ।

ସୂଚନା ଅନୁସାରେ ମୌଳିକ ସୁବିଧାରୁ ବଂଚିତ ହେବା ଏବଂ ଗାଁ ଠାରୁ ୫ କିମି ଦୂରରେ ମତଦାନ କେନ୍ଦ୍ର ପଡିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହାକୁ ନେଇ ମାଥିଲି ବ୍ଲକର ୮ଟି ଗାଁ ଲୋକ ଭୋଟ୍ ବର୍ଜନ କରିଥିଲେ । କରାପାଲି, ଟିମସପୁଟ, ଖଟଣାଗୁଡା, କୁଡୁଗୁଡା, ଅଟଳାଗୁଡା, ସିଙ୍ଗାଲଗୁଡା, ବେବାରିଗୁଡା ଓ ଗୁଡାପଦର ଗାଁ ଲୋକେ ଭୋଟ ଦେଇନଥିଲେ ।

କଳାହାଣ୍ଡି, ନବରଙ୍ଗପୁର ଓ ଚିତ୍ରକୋଣ୍ଡାରେ ବି ଭୋଟ୍ ବର୍ଜନ ଘଟଣା । କଳାହାଣ୍ଡିର ଭେଜିପଦରରେ ଭୋଟ୍ ବର୍ଜନ । ରାସ୍ତା ନଥିବାରୁ ଭୋଟ୍ ବର୍ଜନ କରିଛନ୍ତି ଗ୍ରାମବାସୀ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ପଂଚାୟତର ପଖନାଗୁଡା ଗାଁରେ ଭୋଟ୍ ବର୍ଜନ କରିଛନ୍ତି ଲୋକେ । ଏଠାକୁ ମୌଳିକ ସୁବିଧା ପହଁଚିନଥିବା ଅଭିଯୋଗ ହୋଇଛି । ସମାନ ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡାର ଗାଜଲମାମୁଡି ପୁଲିଂ ବୁଥରେ । ବୁଥ ନମ୍ୱର ୨୨୩ ସାରା ଦିନ ଫାଙ୍କା ପଡିଥିଲା । ଏଠାକୁ ଭୋଟ୍ ଦେବାକୁ ଡଙ୍ଗାରେ ୨ କିମି ଓ ସ୍ଥଳ ପଥରେ ୮ କିମି ଯିବାକୁ ପଡୁଥିବାରୁ ଲୋକେ ଭୋଟ୍ ଦେବାକୁ ଆସିନଥିଲେ ।