ଆମେ ଥିବା ଯାଏଁ କେହି ରହିବେନି ଭୋକିଲା… ତାଲାବନ୍ଦ କଟକଣା ଭିତରେ ପେଟରେ ପଡୁନି ଦାନା, ନିରାଶ୍ରୟ ଓ ଭୋକିଲାଙ୍କ ପେଟ କଥା ବୁଝିବାକୁ ଆଗେଇ ଆସିଲେ ରିୟଲ ହିରୋ ।

1,503

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାର ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି । ଯେଉଁଥିପାଇଁ ବିଭିନ୍ନ ସ୍ଥାନରେ ଫଶି ଯାଇଛନ୍ତି ହଜାର ହଜାର ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକ । କିଏ ଅଧା ବାଟରେ ଅଟକିଛି ତ ପୁଣି କିଏ ଖାଇବାକୁ ନପାଇ ଭୋକ ବିକଳରେ ଡହଳ ବିକଳ ହେଉଛି । ଦୋକାନ ବଜାର, ହୋଟେଲ ସବୁ ବନ୍ଦ ଥିବାର କେଉଁଠି ବି ଖାଦ୍ୟ ସାମଗ୍ରୀ ମିଳୁ ନାହିଁ । ଆଉ ଏଭଳି ସମୟରେ ସେମାନଙ୍କ ନିକଟରେ ଦେବଦୂତ ସାଜି ପହଁଚିଛନ୍ତି ବିଭିନ୍ନ ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷ ।

ବିଳାସପୁର ଅଂଚଳରୁ ଆସିଥିବା ବୁଲାବିକାଳିମାନେ କରୋନା କଟକଣା ଯୋଗୁଁ ହରାଇଛନ୍ତି ରୋଜଗାର । ପାଖରେ ଖାଇବାକୁ ଦାନା ନାହିଁ କି ଧନ ବି ନାହିଁ । ଛୋଟଛୋଟ ପିଲାଙ୍କୁ ଧରି ରାସ୍ତା କଡରେ ପଡି ରହିଛନ୍ତି । ଏଭଳି ସମୟରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି ଅଭିକ୍ଷା ଟ୍ରଷ୍ଟ । ଏବଂ ସେମାନଙ୍କୁ ଖାଇବା ପାଇଁ ଶୁଖିଲା ଖାଦ୍ୟ ସହ ଚାଉଳ, ଡାଲି ଓ ଆଳୁ ବାଂଟି ମାନବିକତା ଦେଖାଇଛନ୍ତି ।

ଅନ୍ୟପଟେ ରେଳବାଇ ପୋଲିସ ମଧ୍ୟ ତାଲାବନ୍ଦ ସମୟରେ ଦେଖାଇଛି ମାନବିକତା । ଲକଡାଉନ ଯୋଗୁଁ ପୁରୀ ରେଳ ଷ୍ଟେସନରେ ଅଟକି ରହିଥିବା ଶ୍ରମିକ ଓ ଅନ୍ୟ ଲୋକମାନଙ୍କୁ ଆରପିଏଫ ପକ୍ଷରୁ ଯୋଗାଇ ଦିଆଯାଇଛି ରନ୍ଧା ଖାଦ୍ୟ ।

ସେହିପରି ବୌଦ୍ଧରେ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିର ସଦସ୍ୟମାନେ ସହରର ବିଭିନ୍ନ ଗଳିକନ୍ଦି ବୁଲିବୁଲି ଅସହାୟ ଭୋକିଲାଙ୍କ ମୁହଁରେ ଆହାର ଦେଇଛନ୍ତି । ଯାଜପୁର ଜିଲ୍ଳା ଜାରକା ଅଂଚଳର ଯୁବ ସମାଜସେବୀ ନିଜ ସହଯୋଗୀମାନଙ୍କୁ ଧରି ଦିବ୍ୟାଙ୍ଗ ଓ ଭୋକିଲାମାନଙ୍କୁ ରନ୍ଧା ଖାଦ୍ୟ ପରସିଛନ୍ତି । କାମାକ୍ଷାନଗରରେ ବେସାହାରା ଲୋକଙ୍କୁ ରନ୍ଧା ଖାଦ୍ୟ ବାଂଟିଛନ୍ତିି କିଛି ବଦାନ୍ୟ ବ୍ୟକ୍ତି । ଲକଡାଉନ ପାଇଁ ସାରା ଦେଶ ଠପ୍ ହୋଇ ଯାଇଥିବାବେଳେ ଭୋକିଲାଙ୍କ ମୁହଁରେ ଆହାର ଦେଇ ଏମାନେ ପାଲଟିଛନ୍ତି ରିୟଲ ହିରୋ ।