ଇଚ୍ଛାଧୀନ କୋଟା କେଳେଙ୍କାରୀ, ଗୋଟିଏ ପ୍ଲଟ କିମ୍ବା ଘର ପାଇଥିଲେ ମାଫ୍। ୟୁ-ଟର୍ଣ୍ଣ ନେଲେ ରାଜ୍ୟ ସରକାର।

ଇଚ୍ଛାଧୀନ କୋଟା କେଳେଙ୍କାରୀ, ଗୋଟିଏ ପ୍ଲଟ କିମ୍ବା ଘର ପାଇଥିଲେ ମାଫ୍। ୟୁ-ଟର୍ଣ୍ଣ ନେଲେ ରାଜ୍ୟ ସରକାର।

କନକ ବ୍ୟୁରୋ: ବିଡିଏ, ସିଡିଏ ଓ ହାଉସିଂବୋର୍ଡରୁ ଇଚ୍ଛାଧୀନ କୋଟାରେ ଗୋଟିଏ ପ୍ଲଟ କିମ୍ବା ଘର ପାଇଥିବା ବ୍ୟକ୍ତିବିଶେଷଙ୍କୁ ଆଶ୍ୱସ୍ତି ମିଳିଛି । ୮ ବର୍ଷ ତଳୁ ଏହାକୁ ନେଇ ଯେଉଁ ବିବାଦ ଚାଲିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ସରକାର । ଇଚ୍ଛାଧୀନ କୋଟାରେ ଏକକ ପ୍ଲଟ କିମ୍ବା ଫ୍ଲାଟଧାରୀ ଅଡୁଆ ପରିସ୍ଥିତିରୁ ମୁକୁଳିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଛି ।

ରାଜ୍ୟ ସରକାର କହିଛନ୍ତି, ଇଚ୍ଛାଧୀନ କୋଟାରେ ଯେଉଁମାନେ ଗୋଟିଏ ପ୍ଲଟ କିମ୍ବା ଫ୍ଲାଟ ପାଇଛନ୍ତି ତାହା ଯଥାର୍ଥ । ଏ ନେଇ ନ୍ୟାୟାଳୟ ମଧ୍ୟ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି। ଏହି ଆବଣ୍ଟନଗୁଡିକ ଟାସ୍କଫୋର୍ସ ରିପୋର୍ଟ ପରିଧିରୁ ବାଦ ଦିଆଯିବ। ଉତ୍ତରାଧିକାରୀଙ୍କ ସପକ୍ଷରେ ସେମାନେ ଦାଖଲ-ଖାରଜ କରିପାରିବେ।

ନଜର ପକାନ୍ତୁ ତାରା ଦତ୍ତଙ୍କ ସୁପାରିସ ଉପରେ –
ଇଚ୍ଛାଧୀନ କୋଟାରେ ବ୍ୟାପକ ଦୁର୍ନୀତି ହୋଇଛି
ଏହା ଅଧିନରେ ହୋଇଥିବା ସବୁ ଆବଣ୍ଟନକୁ ବାତିଲ କରାଯାଉ
ଏକାଧିକ ପ୍ଲଟ ବା ଫ୍ଲାଟ ପାଇଥିବା ବ୍ୟକ୍ତିଙ୍କ ଆବଣ୍ଟନ ସହ ଏକକ ଆବଣ୍ଟନକୁ ମଧ୍ୟ ବାତିଲ କରାଯାଉ

ଟାସ୍କଫୋର୍ସର ଏହି ସୁପାରିସ ଫଳରେ ଇଚ୍ଛାଧୀନ କୋଟାରେ ଜମି ଓ ଘର ପାଇଥିବା ବ୍ୟକ୍ତି ଅଡୁଆରେ ପଡିଲେ। ଉତ୍ତରାଧିକାରୀଙ୍କ ସପକ୍ଷରେ ଦାଖଲ-ଖାରଜ କରିପାରିଲେ ନାହିଁ ।
ଅନେକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ସରକାର ୟୁ-ଟର୍ଣ୍ଣ ନେଇଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ । ସେମାନଙ୍କ ଅଭିଯୋଗ ହେଉଛି, ସରକାର ଜାଣିଶୁଣି ଏଭଳି ଚଞ୍ଚକତା କରିଥିଲେ । ଏବେ କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପତିକୁ ସୁରକ୍ଷା ଦେବା ପାଇଁ ନ୍ୟାୟାଳୟର ନାଁ ନେଇ ଆଗେଇ ଆସିଛନ୍ତି ସରକାର ।

ଇଚ୍ଛାଧୀନ କୋଟାରେ ବିଡିଏରେ ୧୦୩୮, ସିଡିଏରେ ୨୩୩୨, ହାଉସିଂବୋର୍ଡରେ ୪୦୫ ଘର ଆବଣ୍ଟନ କରାଯାଇଥିଲା । କିନ୍ତୁ ଏଥିରେ ବ୍ୟାପକ ଅନିୟମିତତା, ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଶେଷରେ ଏକକ ଆବଣ୍ଟନଗ୍ରାହୀଙ୍କୁ ମାଫ୍ କରିଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe